Odisha Link
Bridging the Missing Links in Odisha

FICCIର ୯୩ତମ ସାଧାରଣ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଦେଶର ପ୍ରଗତି ପାଇଁ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗପତି ମହାସଂଘ ନିତ୍ୟାନ୍ତ ଆବଶ୍ୟକ। FICCIର ୯୩ ତମ ସାଧାରଣ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫିକିର ସାଧାରଣ ବୈଠକରେ ଯୋଗଦେବା ସହ ଅନୁଷ୍ଠାନର ପ୍ରତିଷ୍ଠିତ ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିବା ସହ ଅନୁଷ୍ଠାନକୁ ଆନ୍ତରିକ ଶୁଭେଛା ବାର୍ତ୍ତା ମଧ୍ୟ ଜଣାଇଛନ୍ତି ।

ଓଡ଼ିଶାରେ ନିବେଶ ପ୍ରୋତ୍ସାହନ, ନୀତି ନିର୍ଦ୍ଧାରଣ, ବ୍ୟବସାୟ ପରିବେଶ ସୃଷ୍ଟି କରିବା ଏବଂ ବିଶେଷକରି ରାଜ୍ୟର ମହିଳାମାନଙ୍କୁ ଷ୍ଟାର୍ଟ ଅପ ବିଜନେସ ଜରିଆରେ ସ୍ୱାବଲମ୍ବୀ କରିବାର ଭାଗିଦାରୀକୁ ଶତ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ପ୍ରଗତି ପାଇଁ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗପତି ମହାସଂଘ ନିତାନ୍ତ ଆବଶ୍ୟକ । ୯୦ରୁ ଅଧିକ ବର୍ଷ ଧରି ଭାରତର ଉନ୍ନତିରେ ନିରନ୍ତର କାର୍ଯ୍ୟ କରିଚାଲିଛି। ଫିକି ଦେଶର ନିବେଶକ ସମୁଦାୟକୁ ପ୍ରତିନିଧିତ୍ୱ କରିବା ସହ ଦେଶର ଉଦ୍ୟୋଗିକ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି।

ଏଥି ପାଇଁ FICCIର ସମସ୍ତ ସଦସ୍ୟଙ୍କୁ ଅଜସ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ବୈଠକରେ ଉଦବୋଧନ ଦେବା ଅବସରରେ ନବୀନ କହିଛନ୍ତି, ଓଡିଶା ପୂର୍ବ ଭାରତର ରାଜ୍ୟ ଭାବେ ପ୍ରଗତି ଧାରାରେ ସାମିଲ ହୋଇଛି। ନିବେଶର ପେଣ୍ଠସ୍ଥଳୀ ପାଲଟିଛି। ରାଜ୍ୟରେ ବ୍ୟବସାୟ ଏବଂ ବ୍ୟବହାରିକ ପରିବର୍ତ୍ତନ ପାଇଁ ୫ଟି ଅଧିନରେ ଥିବା ମୋ ସରକାର କାର୍ଯ୍ୟ କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ। ଏଣିକି ଶିଳ୍ପପତିଙ୍କ ଅନୁମତି ପାଇଁ ଦୌଡିବାକୁ ପଡିବନି ବିଭିନ୍ନ ବିଭାଗ।

ଏପରିକି ଅନୁମତି ପାଇଁ ଦିନଦିନ ଧରି ମଧ୍ୟ ଅପେକ୍ଷା କରିବାକୁ ପଡିବନି । ୫ଟି ଓ ମୋ ସରକାର କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନଗୁଡିକ ପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆ ଅନଲାଇନ ସେବା । ଏହିସବୁ ସେବା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଦିଆଯିବ। ଏଥିପାଇଁ ଏହାକୁ ଜନସେବା ଅଧିକାର ଆଇନରେ ସାମିଲ କରାଯାଇଛି। ଆଜି ଫିକିର ୯୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜମି ଚିହ୍ନଟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନ ପାଇଁ ଏକ ଲକ୍ଷ ଏକରର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଓଡିଶା ଏବେ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ରହିଆସିଛି। ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ପାଇଁ ସରକାରୀ ଅଧିକାରୀମାନେ ଜାପାନ, ୟୁଏସଏ, କୋରିଆ ଓ ଭିଏତନାମର ଶିଳ୍ପାନୁଷ୍ଠାନ ସହ ଆଲୋଚନା କରିଛନ୍ତି। କୋଭିଡ ପରିସ୍ଥିତି ସତ୍ବେ ରାଜ୍ୟ ସରକାର ଗତ ୮ ମାସ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ସକ୍ଷମ ହୋଇଛନ୍ତି।

କେବଳ ପୁଞ୍ଜିନିବେଶ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ନୁହେଁ । ଶିଳ୍ପାନୁଷ୍ଠାନଗୁଡିକୁ କାର୍ଯ୍ୟକ୍ଷମ କରିବା ହେଉଛି ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିଳ୍ପାୟନକୁ ଅଧିକ ବ୍ୟାପକ କରିବା ପାଇଁ ଅନୁଗଳ ଓ ଝାରସୁଗୁଡାରେ ଆଲୁମୁନିୟମର ଡାଉନଷ୍ଟ୍ରିମ ଏବଂ କଳିଙ୍ଗନଗରରେ ଇସ୍ପାତ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରୁଛନ୍ତି। ସେହିଭଳି ପାରାଦୀପକୁ ପୂର୍ବ ଭାରତରେ ରସାୟନ ଓ ପେଟ୍ରୋକେମିକାଲ ହବ ଭାବେ ଗଢି ତୋଳିବାକୁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.