Odisha Link
Bridging the Missing Links in Odisha

ଦେବୀ ଡିଜିଟାଲ ଏଡୁକେସନ ୱିଥ ଭଲ୍ୟୁନ୍‌ଟର୍ସ ଇମ୍ପ୍ଲିକେସନସର ଶୁଭାରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରାଜ୍ୟର ଖ୍ୟାତନାମା ରୋଟାରୀ ଏଲିଟ୍‌ର ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ‘we4you’ର ମିଳିତ ସହଯୋଗରେ ଅନ୍‌ଲାଇନ ଶିକ୍ଷାଭିତିକ ସେବା ଆରମ୍ଭ କରାଯାଇଛି । ସାରା ବିଶ୍ୱ କରୋନା ମହାମାରୀ ସମୟରେ ଯେଉଁ ଭଳି ଭାବେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅନେକ ଅସୁବଧିର ସମ୍ମୁଖୀନ ହୋଇଥିଲା ତାହାକୁ ଦୃଷ୍ଟିରେ ରଖି “ଦେବୀଡିଜିଟାଲ ଏଡୁକେସନ ୱିଥ ଭଲ୍ୟୁନ୍‌ଟର୍ସ ଇମ୍ପ୍ଲିକେସନସ’ ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଅନଲାଇନ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ଏଲିଟ୍‌ର ସଭାପତି ସରୋଜ ଦାଶ କହିଥିଲେ ଯେ, ରୋଟାରୀ ଏଲିଟ କରୋନା ମହାମାରୀ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲା। କିନ୍ତୁ ଗୁଣାତ୍ମକ ଶିକ୍ଷାର ପ୍ରସାର ଦିଗରେ ଆଗାମୀ ଦିନରେ ‘ଦେବୀ’ ନିଶ୍ଚିତ ରୂପେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଭାବ ପକାଇବ। ଏହି ଅବସରରେ ୩୨୬୨ ପ୍ରାନ୍ତପାଳ ରୋଟାରୀଆନ ସୌମ୍ୟରଞ୍ଜନ ମିଶ୍ର ଆଗାମୀ ଦିନରେ ରୋଟାରି ବିଭିନ୍ନ ଉପାୟରେ ପିଲାମାନଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଁଚାଇବାରେ ସୁବିଧା କରିବ ବୋଲି କହିଥିଲେ।

ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଓ ପୂର୍ବତନ ପ୍ରାନ୍ତପାଳ ଶିବପ୍ରସାଦ ଦାଶ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ ଏଲିଟ ସାକ୍ଷରତା ଅଭିଯାନର ସଭାପତି ନିହାରେନ୍ଦୁ ଭୂୟାଁ ମହାପାତ୍ର ଆଗାମୀ ଦିନର ପାଠ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ବିଶିଷ୍ଟ ଚିତ୍ରଶିଳ୍ପୀ କମଳାକାନ୍ତ ରଥ ‘ଦେବୀ’ ନାମକରଣର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ “ଆଦୃତ ସେଣ୍ଟର” ର ମୁଖ୍ୟ ଡଃ ଆଦିତ୍ୟ ମହାନ୍ତି ଏହି କାର୍ଯ୍ୟକ୍ରମ ଭବିଷ୍ୟତରେ ପିଲାମାନଙ୍କ ପାଇଁ ନିଶ୍ଚିତ ଉପଯୋଗୀ ହେବ ବୋଲି କହିଥିଲେ। ‘we4you’ର ପ୍ରଜ୍ଞା ଓ ସାଇକେତେଶ ଦାଶ ଆରମ୍ଭ ଦିନ ପିଲାମନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ରାଜ୍ୟର ଭୁବନେଶ୍ୱର, କଟକ, ଅନୁଗୁଳ,କେନ୍ଦୁଝର, ଢେଙ୍କାନାଳ, ବଲାଙ୍ଗୀର, ବାରିପଦା ଆଦି ଅଞ୍ଚଳରୁ ୧୦୦ ରୁ ଊର୍ଦ୍ଧ୍ୱ ପିଲାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ରୋଟାରୀ ଏଲିଟ କ୍ଲବ କର୍ମକର୍ତା, ‘we4you’ ଓ ଆଦୃତର ବିଭିନ୍ନ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ସାରା ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ।

Comments are closed.