Odisha Link
Bridging the Missing Links in Odisha

ସୋନିଆ-ମନମୋହନଙ୍କ ପାଇଁ କାନ୍ତାରରେ କଂଗ୍ରେସ, ପ୍ରଣବ ମୁଖାର୍ଜୀଙ୍କ ବହି ଖୋଲୁଛି ରହସ୍ୟ

ନୂଆଦିଲ୍ଲୀ: ଶୁକ୍ରବାର ଥିଲା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୮୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଣବ ମୁଖାର୍ଜୀଙ୍କୁ ନେଇ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ପ୍ରଣବ ମୁଖାର୍ଜୀଙ୍କ ଲିଖୀତ ‘ଦି ପ୍ରେସିଡେନସିଆଲ ଇଅର୍ସ’ ପୁସ୍ତକକୁ ନେଇ ଲାଗି ରହିଛି ଚର୍ଚ୍ଚା। ଦିବଂଗତ ରାଷ୍ଟ୍ରପତି ତାଙ୍କ ମୃତ୍ୟୁ ପୂର୍ବରୁ ଏହି ପୁସ୍ତକ ଲେଖି ସାରିଥିଲେ। ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜ ପୁସ୍ତକ ‘ଦି ପ୍ରେସିଡେନସିଆଲ ଇଅର୍ସ’ରେ କଂଗ୍ରେସର ପତନକୁ ନେଇ ଅନେକ ଗୁମର ଫିଟାଇଛନ୍ତି। ୨୦୨୧ରେ ବଜାରକୁ ଆସିବାକୁ ଥିବା ଏହି ପୁସ୍ତକରେ ୨୦୧୪ରେ କଂଗ୍ରେସର ପରାଜୟର କାରଣ ବାବଦରେ ଅନେକ କିଛି ଗୁମର କଥା ପ୍ରକାଶ ପାଇଛି। ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ଲିଖୀତ ପୁସ୍ତକରେ କଂଗ୍ରେସ ପରାଜୟ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦାୟୀ କରାଯାଇଛି। ତେବେ ଏହି ପୁସ୍ତକକୁ ନେଇ ବିବାଦ ସୃଷ୍ଟି ହେବା ନେଇ ଆଶଙ୍କା ରହିଛି।

ପ୍ରଣବ ତାଙ୍କ ପୁସ୍ତକରେ ସେ ଲେଖିଛନ୍ତି ଯେ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ବିଫଳତା ପାଇଁ ସୋନିଆ ଗାନ୍ଧିଙ୍କ ଦୁର୍ବଳ ନେତୃତ୍ବ ଦାୟୀ। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେତେବେଳେ ୟୁପିଏ ମେଣ୍ଟକୁ ବଞ୍ଚାଇବା ପାଇଁ ବ୍ୟସ୍ତ ରହିଥିଲେ, ସେତେବେଳେ ଦଳର ଅନ୍ୟ ସମସ୍ୟା ସୁଧାରିବା ପାଇଁ ଧ୍ୟାନ ଦେଉନଥିଲେ। ସୋନିଆ ଦଳର ସାଂଗଠନିକ ଦୁର୍ବଳତାକୁ ସୁଧାରିବାରେ ସକ୍ଷମ ନହେବାରୁ କଂଗ୍ରେସ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ନିରଙ୍କୁଶ ଭାବେ ଶାସନ ପରିଚାଳନା କରୁଥିଲେ ବୋଲି ମଧ୍ୟ ପ୍ରଣବ ଉଲ୍ଲେଖ କରିଛନ୍ତି। ଦିବଂଗତ ପୂର୍ବ ରାଷ୍ଟ୍ରପତି ପ୍ରଣବଙ୍କ ଏହି ଆତ୍ମଜୀବନୀ ପୁସ୍ତକରେ କଂଗ୍ରେସର ବିଭିନ୍ନ ଦୁର୍ବଳତା ସଂପର୍କରେ ଉଲ୍ଲେଖ ଥିବାରୁ ଏହା ଦଳର ସମସ୍ୟା ବଢ଼ାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

୨୦୦୪ ମସିହାରେ ପ୍ରଧାନମନ୍ତ୍ରୀ ପଦରୁ ବଞ୍ଚିତ ହୋଇଥିବା ପ୍ରଣବ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ଯେତେବେଳେ ଏନ୍‌ଡିଏ ସରକାରର ପତନ ଘଟିଲା ସେତେବେଳେ କଂଗ୍ରେସ ନେତୃତ୍ବରେ ୟୁପିଏ ଗଠନ ହେବାପରେ ସୋନିଆ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ୧୮ ମେ ୨୦୦୪ରେ ସୋନିଆ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସୋନିଆ ପ୍ରଧାନମନ୍ତ୍ରୀ ହେବା ପାଇଁ ମନା କରିବାରୁ ସେତେବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବ ବୋଲି ପ୍ରଣବ ଧରି ନେଇଥିଲେ। ତେବେ ସୋନିଆଙ୍କ ମନରେ ଭିନ୍ନ ଯୋଜନା ଥିଲା ଏବଂ ସେଥିରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଣବଙ୍କ ସ୍ଥାନ ନଥିଲା। ପ୍ରଣବ ଲେଖିଛନ୍ତି, ସୋନିଆଙ୍କ ଘୋଷଣା ସଂପର୍କରେ ସେ ଅହମ୍ମଦ ପଟେଲଙ୍କଠାରୁ ଖବର ପାଇଥିଲେ ଏବଂ ସେ ତୁରନ୍ତ ସୋନିଆଙ୍କ ବାସଭବନକୁ ଯାଇଥିଲେ। ସୋନିଆ ତାଙ୍କ ନିଷ୍ପତ୍ତି ବଦଳାଇ ନଥିଲେ ଏବଂ ମନ‌ମୋହନଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ।

ସେ ଆହୁରି ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ଯଦି ୨୦୦୪ରେ ସେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ୨୦୧୪ରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିନଥାନ୍ତା। ଏପରିକି ଦଳର କିଛି ସଦସ୍ୟ ମଧ୍ୟ ମାନୁଥିଲେ। ସେ ରାଷ୍ଚ୍ରପତି ହେବା ପରେ ରାଜନୀତିରୁ ଦୂରରେ ରହିଥିଲେ। ସୋନିଆ ଦଳକୁ ସମ୍ଭାଳିବାରେ ଅସମର୍ଥ ରହିଥିଲେ। ସଂସଦରେ ମନମୋହନ ସିଂ ଅନୁପସ୍ଥିତ ରହୁଥିବାରୁ ଅନେକ ସାଂସଦଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା।

ପ୍ରଣବ ମୁଖାର୍ଜୀ ଦେହାନ୍ତ ପୂର୍ବରୁ ‘ଦି ପ୍ରେସିଡେନସିଆଲ ଇୟର୍ସ’ ଲେଖିସାରିଥିଲେ। ଏହାକୁ ରୂପା ପ୍ରକାଶନ ପ୍ରକାଶିତ କରିବ। ୨୦୨୧ରେ ପାଠକମାନେ ଏହାକୁ କିଣିପାରିବେ। ଏହି ପୁସ୍ତକରେ ପଶ୍ଚିମବଙ୍ଗର ଏକ ଗ୍ରାମରୁ ପ୍ରଣବଙ୍କ ରାଷ୍ଟ୍ରପତି ଭବନ ଯାଏଁ ଯାତ୍ରା ବାବଦରେ ଉଲ୍ଲେଖ ହୋଇଛି।

Comments are closed.