Odisha Link
Bridging the Missing Links in Odisha

ଆଜି ଅନଶନ କରିବେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ୍ ବିରୋଧରେ ଦିଲ୍ଲୀରେ ଚାଷୀଙ୍କ ପିରୋଧ ପ୍ରଦର୍ଶନ ୨୬ତମ ଦିନରେ ପହଞ୍ଚିଛି। ଏହି କ୍ରମରେ ଚାଷୀ ସୋମବାର ଦିନ ସମସ୍ତ ପ୍ରଦର୍ଶନ ସ୍ଥଳରେ ଦିନକ ପାଇଁ ରିଲେ (ପର୍ଯ୍ୟାୟକ୍ରମେ) ଅନଶନ କରିବେ। ଅନ୍ୟପକ୍ଷରେ ଡିସେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ସମସ୍ତ ରାଜପଥରେ ଟୋଲ୍ ନଦେବାକୁ ଚାଷୀମାନେ ଘୋଷଣା କରିଛନ୍ତି।

ଗତ ଚାରି ସପ୍ତାହ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ସଂଖ୍ୟକ ଚାଷୀମାନେ ପ୍ରଦର୍ଶନ କରିଆସୁଛନ୍ତି ଏବଂ ନୂଆ କୃଷି ଆଇନକୁ ରଦ୍ଦ କରିବା ପାଇଁ ମଧ୍ୟ ଦାବି କରୁଛନ୍ତି।ଡିସେମ୍ବର ୨୩ ତାରିଖ କୃଷକ ଦିବସରେ ଉପବାସ ରହି କୃଷି ଆଇନକୁ ବିରୋଧ କରିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି କୃଷକ ସଂଗଠନ ।

ସେହିପରି ଡିସେମ୍ବର ୨୫ରୁ ୨୭ ତାରିଖ ଯାଏଁ ହରିୟାଣାର ସମସ୍ତ ରାଜପଥରେ ଟୋଲ ପ୍ଲାଜା ନିକଟରେ ବିରୋଧ ପ୍ରଦର୍ଶନ କରାଯିବ। ଏହି ସମୟରେ ଟୋଲ ଆଦାୟ କରିବାକୁ ଦେବେ ନାହିଁ ବୋଲି ଭାରତୀୟ କିଷାନ ୟୁନିଅନ ଘୋଷଣା କରିଛି। ସେହିପରି ଡିସେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ସମୟରେ ଥାଳି ବଜାଇବାକୁ କୃଷକ ସଂଗଠନ ଗୁଡିକ ଚାଷୀଙ୍କୁ ଅପିଲ କରିଛନ୍ତି। କହିଛନ୍ତି ମନ କି ବାତ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ହେବା ଯାଏଁ ଥାଳି ବଜାଇ ବିରୋଧ ପ୍ରଦର୍ଶନ କରାଯିବ।

ସେପଟେ କେନ୍ଦ୍ର ସରକାର ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କ ଚିଠି ଲେଖି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିସହ ଆଲୋଚନାର ତାରିଖ ସ୍ଥିର କରି ଜଣାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର।

Comments are closed.