Odisha Link
Bridging the Missing Links in Odisha

ଟିକାକରଣ ପାଇଁ ୪ ମାସ ତଳୁ ହୋଇଛି ପ୍ରସ୍ତୁତି: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତରେ ଆରମ୍ଭ ହୋଇପାରେ ଟିକାକରଣ। ଭାରତରେ ଟିକାକରଣ ପାଇଁ ୪ ମାସ ତଳକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସବୁ ପ୍ରକାରର ଯୋଜନା ଆରମ୍ଭ କରିଥିଲେ। ଏବେ ସବୁ କିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷଜ୍ଞ ଟିମ୍‌ ଟିକାକୁ ଅନୁମତି ଦେବା ପରେ ଭାରତରେ ଟିକାକରଣ ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଟିକା ସୁରକ୍ଷା ଓ ପ୍ରଭାବ ହିଁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ଏଥିରେ କୌଣସି ପ୍ରକାରର ବୁଝାମଣା କରିପାରିବୁ ନାହିଁ। ମୁଁ ବ୍ୟକ୍ତିଗତ ଭାବେ ଆଶା ରଖିଛି ଯେ, ଜାନୁଆରୀ ପ୍ରଥମ ସପ୍ତାହରେ ଭାରତରେ କରୋନା ଟିକାର ଡୋଜ୍‌ ଦେଶବାସୀଙ୍କୁ ଦିଆଯିବ।

ଟିକାକରଣ ପାଇଁ କେନ୍ଦ୍ର ସରକାର ୪ ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ସହ ମିଶି କାମ କରିଛନ୍ତି। ଆମେ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତର ଟିକାକରଣ ପାଇଁ ଟ୍ୟାକ୍ସଫୋର୍ସ ଗଠନ କରିଛୁ। ୨୬୦ଟି ଜିଲ୍ଲାରେ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ପାଇଁ ତାଲିମ ଦିଆଯାଇଛି।

ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଆମେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବୁ। ଏହି ୩୦ କୋଟି ଲୋକଙ୍କ ମଧ୍ୟରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୁଲିସ୍‌, ସେନା ଓ ସଫେଇ କର୍ମଚାରୀ ରହିଛନ୍ତି। ଏମାନଙ୍କ ବ୍ୟତୀତ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ଓ ଏକଧିକ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦେବାକୁ ଗୁରୁତ୍ୱ ଦିଆଯାଉଛି।

Comments are closed.