Odisha Link
Bridging the Missing Links in Odisha

‘ବାବା କା ଢାବା’ରୁ ରେସ୍ତୋରାଁ

ନୂଆଦିଲ୍ଲୀ: ଜୀବନର ମୋଡ଼ କେତେବେଳେ ବି ବଦଳି ଯାଏ ତାହା କେହି କହିପାରିବେ ନାହିଁ। ରାସ୍ତା କଡ଼ ଢ଼ାବରୁ ରେସ୍ତାରାଁ କରି ପୁଣି ଚର୍ଚ୍ଚାରେ ବାବା କା ଢାବାର ମାଲିକ କାନ୍ତା ପ୍ରସାଦ। ଢ଼ାବାରେ ବିକ୍ରି ନ ହେବା ଯୋଗୁଁ ଦିନେ କାନ୍ଦି ପକାଇଥିବା କାନ୍ତା ପ୍ରସାଦ ଆଉ ଆଜି ଖୋଲିଛନ୍ତି ଏକ ନୂଆ ରେଷ୍ଟୁରାଣ୍ଟା ଆଉ ଏଇ ରେଷ୍ଟୁରାଣ୍ଟର କ୍ୟାସ କାଉଣ୍ଟରର ଦାୟିତ୍ୱ ସମ୍ଭାଳୁଛନ୍ତି ନିଜେ କାନ୍ତାପ୍ରସାଦ। ରେଷ୍ଟୁରାଣ୍ଟର କାମ କରିବା ପାଇଁ ସେ କର୍ମଚାରୀ ମଧ୍ୟ ରଖିଛନ୍ତି। ସୋସିଆଲ ମିଡିଆ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଇବ ତାହା କେହି ବି କହିପାରିବେନି।

ଏଭଳି ସୋସିଆଲ ମିଡିଆର ପ୍ରଭାବ ପଡିଛି ବାବା କା ଢାବାର ମାଲିକ କାନ୍ତା ପ୍ରସାଦଙ୍କ ଉପରେ। ଏହାପରେ ପୂରା ବଦଳି ଯାଇଛି କାନ୍ତାପ୍ରସାଦଙ୍କ ଜୀବନ। ରାସ୍ତା କଡରେ ଢାବା ଚାଲୁ ନଥିବାରୁ ଦିନେ କାନ୍ଦି ପକାଇଥିଲେ କାନ୍ତା ପ୍ରସାଦ। ଆଉ ଭାଇରାଲ ହୋଇଯାଇଥିଲା ତାଙ୍କର ଏହି ଭିଡିଓ। ପରେ ଏହି ବୃଦ୍ଧଙ୍କୁ ସହାୟତା ପାଇଁ ଚାରିଆଡୁ ସାହାଯ୍ୟର ସୁଅ ଛୁଟିଥିଲା। ରେଷ୍ଟୁରାଣ୍ଟ କରିବା ପାଇଁ କାନ୍ତା ପ୍ରସାଦ ୩୫ ହଜାର ଟଙ୍କାରେ ଏକ ଦୋକାନ ଘର ଭଡା ନେଇଛନ୍ତି ।

ବାବାଙ୍କ ଏହି ନୂଆ ରେଷ୍ଟୁରାଣ୍ଟରେ ସିସିଟିଭ କ୍ୟାମେରା ମଧ୍ୟ ଲାଗିଛି। ଯାହା ଦ୍ୱାରା କାନ୍ତା ପ୍ରସାଦ ରେଷ୍ଟୁରାଣ୍ଟକୁ ଆସୁଥିବା ଲୋକ ଓ ନିଜ କର୍ମଚାରୀଙ୍କ କାମ ଉପରେ ନଜର ରଖୁଛନ୍ତି। ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କାନ୍ଥରେ ବିଭିନ୍ନ ପ୍ରକାର ପେଣ୍ଟିଙ୍ଗ କରାଯାଇଛି।

ଏହାସହ ରେଷ୍ଟୁରାଣ୍ଟରେ ଇଣ୍ଡିଆନ ଓ ଚାଇନିଜ ଖାଦ୍ୟ ମଧ୍ୟ ତିଆରି ହେଉଛି। ତେବେ ରେଷ୍ଟୁରାଣ୍ଟ ଖୋଲିବା ପରେ ସ୍ୱାମୀ-ସ୍ତ୍ରୀ ଖୁସି ଥିବା କହିଛନ୍ତି କାନ୍ତା ପ୍ରସାଦଙ୍କ ସ୍ତ୍ରୀ। ବାବା କା ଢାବା ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଗୌରବ ୱାସନ ନାମକ ଜଣେ ୟୁଟୁବର କାନ୍ତାପ୍ରସାଦଙ୍କ କାନ୍ଦୁଥିବା ଭିଡିଓ କରି ଭାଇରାଲ କରିଥିଲେ। ଆଉ ଏହି ଭିଡିଓ ଜରିଆରେ ଏଠାରେ ଖାଇବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଥିଲେ।

ଏହାପରେ ବାବା କା ଢାବାରେ ଖାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। ଏହାସହ କାନ୍ତା ପ୍ରସାଦଙ୍କୁ ସାହାଯ୍ୟ କରିବା ପାଇଁ ଲୋକମାନେ ତାଙ୍କୁ ଅନଲାଇନ ଓ ଅଫଲାଇନରେ ଅନେକ ଟଙ୍କା ପଠାଇଥିଲେ। ପରେ ଟଙ୍କା ହେରଫେର ନେଇ କାନ୍ତା ପ୍ରସାଦ ଓ ଗୌରବଙ୍କ ମଧ୍ୟରେ ବିବାଦ ହୋଇଥିଲା। କାନ୍ତା ପ୍ରସାଦ ଗୌରବଙ୍କ ନାଁରେ ଟଙ୍କା ହଡପ କରି ନେଇଥିବା ଅଭିଯୋଗ ଆଣିଥିଲେ। ହେଲେ ଗୌରବ ଏହି ଅଭିଯୋଗକୁ ଖଣ୍ଟନ କରିଥିଲେ। ଆଉ କହିଥିଲେ ସେ କାନ୍ତା ପ୍ରସାଦଙ୍କ ସମସ୍ତ ଟଙ୍କା ତାଙ୍କୁ ଦେଇ ଦେଇଛନ୍ତି।

Comments are closed.