Odisha Link
Bridging the Missing Links in Odisha

ଲୁଚାଇଲେ କରୋନା ସଂକ୍ରମଣ, ମଝି ଆକାଶରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କର ବିମାନରେ ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ନେଇ ଲୁଚାଇଥିଲେ। ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କ କହିବାନୁସାରେ, ତାଙ୍କ ସ୍ବାମୀଙ୍କ ଶରୀରରେ ଗତ ଏକ ସପ୍ତାହରୁ ଅଧିକ ଦିନ ହେବ କରୋନାର ଲକ୍ଷଣ ଦେଖାଯାଉଥିଲା। ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବା ସହ ଖାଦ୍ୟର ସ୍ବାଦ ବି ସେ ବାରି ପାରୁ ନଥିଲେ।

ସୁଚନା ମୁତାବକ, ବିମାନ ଉଡ଼ିବା ପୂର୍ବରୁ ବ୍ୟକ୍ତି ଜଣକ କମ୍ପୁଥିଲେ। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ବିମାନ ଉଡ଼ିବାର ଗୋଟିଏ ଘଣ୍ଟା ପରେ ଉକ୍ତ ଯାତ୍ରୀ ଆଉ ନିଶ୍ବାସ ନେଇ ପାରି ନଥିଲେ। ବ୍ୟକ୍ତିଙ୍କ ଅବସ୍ଥା ଦେଖି ଅନେକ ଯାତ୍ରୀ ଏକାଠି ହୋଇ ତାଙ୍କୁ ଆଉଁସିବାକୁ ଲାଗିଥିଲେ। ଏହା ପରେ କ୍ୟାବିନ କ୍ରୁ ପାରାମେଡିକ୍ସକୁ ଡାକିଥିଲେ। ଟୋନି ଏଲଡାପା ନାମକ ଜଣେ ବ୍ୟକ୍ତି ସଂକ୍ରମଣକୁ ଖାତିର ନକରି ସେହି ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ବିମାନଟିକୁ ନ୍ୟୁ ଔରଲିଏନ୍ସରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।

ଉକ୍ତ ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ତାଙ୍କ ସ୍ବାମୀଙ୍କ ଚିକିତ୍ସା ରିପୋର୍ଟ ପଚାରାଯାଇଥିଲା। କିନ୍ତୁ ସେ ଜଣାଇ ନଥିଲେ କି ତାଙ୍କ ସ୍ବାମୀ କରୋନା ସଂକ୍ରମିତ ଅଛନ୍ତି। ସେ କହିଥିଲେ କି ସ୍ବାମୀଙ୍କ ଶରୀର ଅସୁସ୍ଥ ଥିବାରୁ ଲସ୍ ଆଞ୍ଜେଲସରେ ଯାଇ କରୋନା ପରୀକ୍ଷା କରାଇବେ। ଏହି ଘଟଣା ପରେ ସ୍ୱାସ୍ଥ୍ୟ ଅଧିକାରୀ ଅବଶିଷ୍ଟ ଯାତ୍ରୀ ଯେଉଁମାନେ ଉକ୍ତ ଯାତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସେଲଫ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି।

Comments are closed.