Odisha Link
Bridging the Missing Links in Odisha

କରୋନା ନୂଆ ଷ୍ଟ୍ରେନ୍‌ ନେଇ SOP ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍ ଦେଖାଦେବା ପରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି SOP। SOP ମୁତାବକ, ଗତ ୧୪ ଦିନ ଭିତରେ ବ୍ରିଟେନ୍‌ରୁ ସିଧାସଳଖ କିମ୍ବା ବ୍ରିଟେନ ଦେଇ ଫେରିଥିବା ଯାତ୍ରୀଙ୍କୁ ଡିକ୍ଲାରେସନ୍ ଫର୍ମ ପୂରଣ କରିବାକୁ ପଡିବ। ଫେରିଥିବା ଯାତ୍ରୀ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ।

ଏହି ସମୟରେ ର‍୍ୟାପିଡ୍ ରେସପନ୍ସ ଟିମ୍ ତାଙ୍କର ନିୟମିତ ଯାଞ୍ଚ କରିବେ। କ୍ୱାରେଣ୍ଟିନ ସମୟରେ ଲକ୍ଷଣ ପ୍ରକାଶ ପାଇଲେ ଆରଟିପିସିଆର ଟେଷ୍ଟ କରାଯିବ ଏବଂ ପଜିଟିଭ୍ ଚିହ୍ନଟ ହେଲେ ସରକାରୀ ସଙ୍ଗରୋଧରେ ରଖାଯିବା ସହ ଚିକିତ୍ସା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ୧୪ ଦିନ ହୋମ୍ କ୍ୱାରେଣ୍ଟିନରେ ରହିବାକୁ ପଡିବ।

ଭାରତକୁ ଘାରିଲା ବ୍ରିଟେନ୍‌ ଦେଖା ଦେଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ଭାରତ ଆସିଥିବା ନେଇ ଆଶଙ୍କା କରାଯାଉଛି। ସୋମବାର ବ୍ରିଟେନ୍‌ ଭାରତ ଆସିଥିବା ବିଭିନ୍ନ ବିମାନରୁ ୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ୫, କୋଲକାତାରୁ ୨ ଏବଂ ଚେନ୍ନାଇ ବିମାନ ବନ୍ଦରରୁ ଜଣେ ଯାତ୍ରୀ କରୋନାରେ ସଂକ୍ରମିତ ଥିବା ଜଣାପଡିଛି।

୮ଜଣ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ୍‌ ରଖିବା ସହ ପରୀକ୍ଷା ପାଇଁ ପୁଣେ ପଠାଯାଇଛି। ସାମ୍ପଲ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଯେ, ଆକ୍ରାନ୍ତଙ୍କଠାରୁ ମିଳିଥିବା ଭୂତାଣୁ ବ୍ରିଟେନ୍‌ର ନୂଆ ଷ୍ଟ୍ରେନ୍ କି ନୁହେଁ। ତେବେ ଏଯାଏଁ ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ଦେଖା ଦେଇନଥିବା ସ୍ପଷ୍ଟ କରିଛନ୍ତି ସରକାର। ତେଣୁ ଦେଶବାସୀଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ନୂଆ କରୋନା ଷ୍ଟ୍ରେନ ନେଇ କେନ୍ଦ୍ର ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି ଯେ, ନୂଆ କରୋନା ଷ୍ଟ୍ରେନ୍ କେବଳ ସଂକ୍ରମଣ ବଢ଼ାଉଛି। ମାତ୍ର ରୋଗୀକୁ ବିଶେଷ ଭାବେ ଗୁରୁତର କରୁନାହିଁ। ଏହା କମ୍ ଘାତକ, ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା କମ୍‌।

Comments are closed.