Odisha Link
Bridging the Missing Links in Odisha

ହିଂସା ତୁଳନାରେ ଦଣ୍ଡ କମ୍ ହେଉଛି: ଅପରାଜିତା

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ବଢିଚାଲିଛି ହିଂସାକାଣ୍ଡ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି, ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ୍ ହେଉଛି। ଏଥିସହ ରାଜ୍ୟର କେଉଁଠି କେଉଁଠି ରାଜନୈତିକ ହିଂସାକାଣ୍ଡ ଘଟିଛି ତାହାର ଏକ ତଥ୍ୟ ସମ୍ବୋଳିତ ଚିଠି ଡିଜିପିଙ୍କୁ ପ୍ରଦାନ କରିଛନ୍ତି।

ଚିଠିରେ ଅପରାଜିତା ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି ଯେ, ନିକଟ ଅତୀତରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ସଂଖ୍ୟା ବଢିଛି। ଏଥିସହ ପଞ୍ଚାୟତ ନିର୍ବାଚନଠୁ ସାଧାରଣ ନିର୍ବାଚନ ମଧ୍ୟରେ ହୋଇଥିବା ଆକ୍ରମଣର ତଥ୍ୟ ମଧ୍ୟ ରଖିଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩ଟି ସ୍ଥାନରେ ବିଜେପି କର୍ମୀ ହିଂସାର ଶିକାର ହୋଇଛନ୍ତି। କେନ୍ଦ୍ରାପଡ଼ାରେ ୨ ଓ ଖୋର୍ଦ୍ଧା ଜିଲ୍ଲାର ୨ଟି ସ୍ଥାନରେ ମଧ୍ୟ ହିଂସାର ଶିକାର ହୋଇଛନ୍ତି। ଢେଙ୍କାନାଳ, ମାଲକାନଗିରି ଓ ମୟୂରଭଞ୍ଜରେ ଗୋଟିଏ ଲେଖାଏଁ ସ୍ଥାନରେ ବିଜେପି କର୍ମୀ ହିଂସାର ଶିକାର ହୋଇଛନ୍ତି। ଗଜପତି, ଭଦ୍ରକ, କୋରାପୁଟ, ବଲାଙ୍ଗୀର ଓ ରାୟଗଡ଼ାରେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ତେବେ ଦୁର୍ବଳ ତଦନ୍ତରୁ ସମସ୍ତ ଘଟଣାର ଦୋଷୀ ଖସି ଯାଉଥିବା ଅପରାଜିତା ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ଏନସିଆରବି ରିପୋର୍ଟ ଅନୁସାରେ ୨୦୧୮ରେ ଓଡ଼ିଶାରେ ଦଣ୍ଡବିଧାନ ସଂଖ୍ୟା ନଗଣ୍ୟ ବୋଲି ଅପରାଜିତା କହିଛନ୍ତି। ଏପରିକି ବଢି ଚାଲିଥିବା ହିଂସାକାଣ୍ଡକୁ ନରୋକିଲେ ଓଡ଼ିଶାରେ ପଶ୍ଚିମବଙ୍ଗ ଭଳି ପରିସ୍ଥିତି ଉପୁଜିବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, କଟକ ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଅଟଳ ରହିଛି। ଏନେଇ ପୂର୍ବରୁ ବିଭିନ୍ନ ଥାନା ଓ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଥିବାବେଳେ ଶୁକ୍ରବାର ଦଳ ପକ୍ଷରୁ ଡିଜି ଅଫିସ ଘେରାଉ କରାଯାଇଥିଲା। ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଓ ବହିଷ୍କାର ଦାବିରେ ଏହି ଘେରାଉ କରାଯାଇଥିଲା। ଏହି ଘେରାଉରେ ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟ ସିଂ ତୋମାର, ରାଜ୍ୟ ସଭାପତି ସମର ମହାନ୍ତି ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।

Comments are closed.