Odisha Link
Bridging the Missing Links in Odisha

୩ଟି କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ୩ଟି କୃଷି ଆଇନ ଉପରେ ରୋକ ଲଗାଇଛନ୍ତି। ପରବର୍ତୀ ନିର୍ଦ୍ଦେଶ ଯାଏ କୃଷି ଆଇନ ଲାଗୁ ହୋଇପାରିବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କୃଷି ଆଇନକୁ ନେଇ ୪ଟି ସଦସ୍ୟ ବିଶିଷ୍ଟ କିମିଟି ଗଠନ କଲେ କୋର୍ଟ। କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟି ୪ ଜଣିଆ କମିଟିରେ ସାମିଲ ଅଛନ୍ତି। ୪ ସଦସ୍ୟ କୃଷି ଆଇନ ଉପରେ ରିପୋର୍ଟ ଦେବେ। କମିଟିରେ ଜିତେନ୍ଦ୍ର ସିଂ ମାନ୍, ପ୍ରମୋଦ ଯୋଶୀ, ଅନୀଲ ଧନୱନ୍ତ ସାମିଲ ଅଛନ୍ତି।

ଏହି କମିଟି ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ। ଯେଉଁମାନେ ଏହି ସମସ୍ୟାର ସମାଧାନ ଚାହାନ୍ତି ସେମାନେ ନିଜର ସମସ୍ୟାକୁ ନେଇ କମିଟି ନିକଟକୁ ଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୃଷକମାନଙ୍କ ଓକିଲ ଏମଏଲ ଶର୍ମା କହିଥିଲେ ଯେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଚାହୁଁଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆସୁନାହାନ୍ତି। ଏହାର ଜବାବରେ ସୁପ୍ରିମକୋର୍ଟ କହିଥିଲେ ଏଥିପାଇଁ କୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡ଼େ କହିଛନ୍ତି ଯେ ଏହି କମିଟି ପ୍ରକୃତ ସମସ୍ୟା କେଉଁଠି ରହୁଛି ତାହା ବାହାର କରିବ। କୃଷକମାନେ କମିଟି ନିକଟକୁ ଯିବାକୁ ଚାହୁଁ ନାହାନ୍ତି ବୋଲି କରାଯାଉଥିବା ଯୁକ୍ତିକୁ ଗ୍ରହଣ କରାଯିବ ନାହିଁ। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଅଚଳାବସ୍ଥାକୁ ଦୂର ପାଇଁ ଆଇନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇପାରେ, କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ଅଟକାଇ ହେବ ନାହିଁ। ପୁଣି ବିନା କୌଣସି କାରଣ ଥାଇ ସ୍ଥଗିତାଦେଶ ଦେଇହେବ ନାହିଁ। ଏଣୁ ଯେଉଁମାନଙ୍କର ଆଇନକୁ ନେଇ ଆପତ୍ତି ଅଛି, ସେମାନେ କମିଟି ନିକଟକୁ ଯାଆନ୍ତୁ।

Comments are closed.