Odisha Link
Bridging the Missing Links in Odisha

ଟ୍ରାଏଲ ରୁମରେ ଯୁବତୀଙ୍କ ଫଟୋ ଉଠାଇବା ବେଳେ ଧରା ପଡିଲେ ଯୁବକ

କେନ୍ଦୁଝର: ଲେଡିଜ୍ ଟ୍ରାଏଲ ରୁମରେ ଯୁବତୀଙ୍କ ଫଟୋ ଉଠାଇବା ବେଳେ ଧରା ପଡିଲେ ଯୁବକ। ଏପରି ଏକ ଘଟଣା କେନ୍ଦୁଝର ଟାଉନଥାନା ଗାନ୍ଧୀଛକ ନିକଟରେ ଥିବା ଏକ ସପିଂ ମଲ୍‌ ପରିସରରେ ଘଟିଛି।ଗ୍ରାହକଙ୍କ ପକ୍ଷରୁ ଏ ନେଇ ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଯୁବକ ଜଣକ ହେଲେ କେନ୍ଦୁଝର ଟାଉନ ଥାନା ମାଗୁର ଗାଡିଆ ଅଞ୍ଚଳର ମହମ୍ମଦ ଆତୀଫ। ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନରେ କେନ୍ଦୁଝର ସହରର ଜଣେ ଯୁବତୀ ପରିବାର ସହିତ ଏକ ସପିଂ ମଲ୍‌କୁ କିଛି କିଣାକିଣି କରିବାକୁ ଯାଇଥିଲେ। ଯୁବତୀ ଜଣକ ଏକ ଡ୍ରେସ୍‌ ଟ୍ରାଏଲ କରିବା ପାଇଁ ଟ୍ରାଏଲ ରୁମ୍‌ ଭିତରକୁ ଯାଇଥିଲେ। ଏହି ସମୟରେ ଟ୍ରାଏଲ ରୁମ୍‌ ପାଖରେ ଥିବା ଅନ୍ୟ ଏକ ଟ୍ରାଏଲ ରୁମ୍‌ରେ ପଶି ଆତୀଫ ମୋବାଇଲରେ ଯୁବତୀଙ୍କ ଫଟୋ ଉଠାଉଥିଲା। ଏହି କଥା ଜାଣିପାରିଥିଲେ ଯୁବତୀ ଟ୍ରାଏଲ୍‌ ରୁମ୍‌ରୁ ବାହାରି ପାଟି କରିଥିଲେ।

ଏହାପରେ ଆତୀଫ ଟ୍ରାଏଲ ରୁମ୍‌ରୁ ବାହାରକୁ ଆସିବା ପରେ ଅନ୍ୟ ଗ୍ରାହକମାନେ ତାକୁ ଘେରି ଯାଇଥିଲେ। କାହିଁକି ଫଟୋ ଉଠାଉଥିଲୁ ବୋଲି ପଚାରିବାରୁ ଓଲଟା ସେ ହୋହଲ୍ଲା କରିବା ସହିତ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲା। ପରେ ଗ୍ରାହକମାନେ ଉତ୍ତମ ମଧ୍ୟମ ଦେଇ ଅଟକ ରଖିଥିଲେ। ସପିଂ ମଲ କର୍ମଚାରୀମାନେ ଯୁବକଙ୍କ ନାମ ପଚାରିଥିଲେ କିନ୍ତୁ ସେ ମିଛ କହିଥିଲା ପରେ ପକେଟରୁ ଆଧାର କାର୍ଡରୁ ଯୁବକ ଜଣକ ମହମ୍ମଦ ଆତୀଫ ବୋଲି ଜଣାପଡିଥିଲା।

Comments are closed.