Odisha Link
Bridging the Missing Links in Odisha

ପଦ୍ମ ବିଭୂଷଣ ଗୁଲାମ୍ ମୁସ୍ତାଫା ଖାନଙ୍କ ପରଲୋକ

ନୂଆଦିଲ୍ଲୀ : ମହାନ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଦ୍ମ ବିଭୂଷଣ ଗୁଲାମ୍ ମୁସ୍ତାଫା ଖାନଙ୍କ ପରଲୋକ ଘଟିଛି। ଏହି ସୂଚନା ତାଙ୍କ ବୋହୂ ନମ୍ରତା ଗୁପ୍ତା ଖାନ ଦେଇଛନ୍ତି। ମୁମ୍ବାଇ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବଲିଉଡରେ ଗୁଲାମ୍ ମୁସ୍ତାଫା ଖାନଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି।

ନମ୍ରତା ଗୁପ୍ତା ଖାନ କହିଛନ୍ତି, ଶନିବାର ଦିନ ସକାଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। କିନ୍ତୁ ନମାଜ ପଢୁଥିବା​‌ ବେଳେ ସେ ହଠାତ ବାନ୍ତି କରିଥିଲେ । ପରିବାର ସଦସ୍ୟ ଡାକ୍ତରଙ୍କୁ ଫୋନ କରିଥିଲେ ଏବଂ ତୁରନ୍ତ ଡାକ୍ତର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେତେବେଳକୁ ତାଙ୍କର ଦେହାନ୍ତ ହୋଇସାରିଥିଲା ।

ସୂର ସାମ୍ରାଜ୍ଞୀ ଲତା ମଙ୍ଗେସକର ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ‘ମୋତେ ଏବେ ଏହି ଦୁଃଖଦ ଖବର ମିଳିଲା କି ମହାନ ଶାସ୍ତ୍ରୀୟ ଗାୟକ ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହେବ ଏହି ଦୁନିଆରେ ନାହାଁନ୍ତି । ଏହା ଶୁଣିବା ପରେ ମୋତେ ବହୁତ ଦୁଃଖ ଲାଗିଲା । ସେ ଜଣେ ଭଲ ଗାୟକ ଏବଂ ଜଣେ ଭଲ ମଣିଷ ଥିଲେ । ଅମର ଆତ୍ମାର ସଦଗତି କାମନା କରୁଛି ’।

ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହେବଙ୍କ ଜନ୍ମ ୩ ମାର୍ଚ୍ଚ ୧୯୩୧ରେ ଉତ୍ତର ପ୍ରଦେଶର ବନ୍ଦାୟୁରେ ହୋଇଥିଲା । ୧୯୯୧ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୨୦୦୬ରେ ପଦ୍ମ ଭୂଷଣ ଏବଂ ୨୦୦୮ ମସିହାରେ ପଦ୍ମ ବିଭୂଷଣରେ ସମ୍ମାନୀତ କରାଯାଇଥିଲା ।

Comments are closed.