Odisha Link
Bridging the Missing Links in Odisha

ଆସନ୍ତାକାଲି ସମ୍ବଲପୁର ଆରଡିସି ଅଫିସ ଘେରାଉ କରିବ ବିଜେପି: ଲେଖାଶ୍ରୀ

ଭୁବନେଶ୍ୱର: ଧାନମଣ୍ଡିରେ ଭିତିଭୂମିର ବ୍ୟବସ୍ଥା କରିବା, ମଣ୍ଡି ଗୁଡିକରେ ଚଟାଣ, ପାନୀୟ ଜଳ, ପାଲ, ମାପ ଓଜନ ବିଜୁଳୀ ଆଦି ସୁବିଧା ପହଂଚାଇବା, କେନ୍ଦ୍ର ସରକାର ଦେଉଥିବା ଧାନ ଅଖା, ସୁତୁଲି, ଶ୍ରମିକ ଖର୍ଚ୍ଚ, ଯାତାୟତ ଖର୍ଚ୍ଚକୁ ଚାଷୀଙ୍କ ପାଖରେ ପହଂଚାଇବା, ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରି କେଉଁ ଜିଲ୍ଲାରୁ କେତେ ଧାନ କିଣାଯାଉଛି ତାହା ଜିଲ୍ଲା ଡିଏଲପିସି ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରିବା, ନିର୍ଦ୍ଧାରିତ ଅଣଜଳସେଚିତ ଜମିରୁ ୧୩ କ୍ୱିଣ୍ଟାଲ ଓ ଜଲସେଚିତ ଜମିରୁ ୧୯ କ୍ୱିଣ୍ଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ଚାଷୀର ସମସ୍ତ ଉତ୍ପାଦିତ ଧାନକୁ କିଣିବା, ଚଳିତ ଖରିଫ ଋତୁରେ ନିରସ୍ତ ହୋଇଯାଇଥିବା ସମସ୍ତ ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରିବା, ମଣ୍ଡିରେ ପଡିଥିବା ଧାନକୁ ଉଠାଇବା, କଟନୀ ଛଟନୀ ବନ୍ଦ କରିବା, କୃଷକ ସମ୍ମାନ ନିଧି ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ପଠାଇବା ଆଦି ଦାବି ନେଇ ଆସନ୍ତାକାଲି ସମ୍ବଲପୁର ଆରଡିସି ଅଫିସ ଘେରାଓ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି। ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି। କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି।

ରାଜ୍ୟ ସରକାର ଏଫଏକ୍ୟୁ ଆଳରେ କଟନୀ ଛଟନୀରେ ୧୦ କେଜିି ପର୍ଯ୍ୟନ୍ତ ଧାନ କାଟୁଛନ୍ତି। କେନ୍ଦ୍ରସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବାରୁ ବଂଚିତ ରହୁଛି। ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ଓଡିଶାର ଲକ୍ଷ ଲକ୍ଷ ଚାଷୀ କୃଷକ ସମ୍ମାନ ନିଧି ଯୋଜନାରୁ ବଞ୍ଚିତ ରହିଛନ୍ତି। କୃଷକ ସମ୍ମାନ ନିଧି ଯୋଜନାରେ ରାଜ୍ୟ ସରକାର ପ୍ରଥମ କିସ୍ତିରେ ୪୦ଲକ୍ଷ ଚାଷୀଙ୍କ ତାଲିକା ଅର୍ଥ ଦେଇଥିବା ବେଳେ ଏହା ଏବେ କମି ୧୦ ଲକ୍ଷରେ ପହଂଚିଛି। ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି।

ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି। ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ। ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ରାଜ୍ୟ ବିଜେପି ପକ୍ଷରୁ ୬ଟି ସ୍ଥାନରେ ବିଶାଳ କୃଷକ ସମାବେଶ ଆୟୋଜନ ଏବଂ ରାଜ୍ୟବ୍ୟାପୀ ମଣ୍ଡି ଚାଲ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା ।

ବିଗତ ଦିନରେ ୪୮ ଘଂଟା ଧରି ପଶ୍ଚିମ ଓଡିଶାରେ ରାଜପଥ ଅବରୋଧ କରାଯାଇଥିଲା ଏବଂ ଏବେ ବି ୮ ଦିନ ଧରି କୁଚିଣ୍ଡା ଠାରେ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଟିକିଏ ବି ଚିନ୍ତିତ ନୁହଁନ୍ତି। ଅନ୍ୟପଟେ ରାଜ୍ୟ ସରକାର ମିଲରମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି।

ଏହା ବିରୁଦ୍ଧରେ ଆସନ୍ତାକାଲି ୨୧ ଜାନୁଆରୀରେ ସମ୍ବଲପୁର ଆରଡିସି ଅଫିସ ଠାରେ ପଶ୍ଚିମ ଓଡିଶାର ୫ଟି ସଂସଦୀୟ କ୍ଷେତ୍ର ଯଥା ବଲାଙ୍ଗୀର, ବରଗଡ, କଳାହାଣ୍ଡି, ସୁନ୍ଦରଗଡ, ସମ୍ବଲପୁର ଏବଂ ଏହି ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୩୫ଟି ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀର ୪୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଓ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ।

ଏହି ବିକ୍ଷୋଭରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସହ ପ୍ରଭାରୀ ତଥା ସାଂସଦ ତଥା ବିଜୟ ପାଲ ସିଂ ତୋମର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ପଷ୍ଟିମ ଓଡିଶାର ସମସ୍ତ ବିଜେପି ସାଂସଦ ଓ ବିଧାୟକ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ପ୍ରମୁଖ ଯୋଗଦେବେ ବୋଲି ଡ. ସାମନ୍ତସିଂହାର ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

Comments are closed.