ଟ୍ରାକ୍ଟର ରାଲିକୁ ମିଳିଲା ଗ୍ରୀନ୍ ସିଗ୍ନାଲ୍

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିକୁ ମଳିଲା ଅନୁମତି। କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି କରିବା ପାଇଁ ଚେତାବନୀ ଦେଇଥିଲେ। ଚାଷୀ ସଂଗଠନ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ ଦିଲ୍ଲୀ ପୋଲିସ ନିକଟରେ ଆବେଦନ କରିଥିଲେ। ତେବେ ଏହାକୁ ଲିଖିତ ଅନୁମତି ଦେଇଛି ଦିଲ୍ଲୀ ପୋଲିସ।
କେଉଁ କେଉଁ ରୁଟ୍ରେ ଚାଷୀମାନେ ଟ୍ରାକ୍ଟର ପରେଡ୍ କରିପାରିବେ ତାହାର ଏକ ରୁଟ୍ ମ୍ୟାପ୍ ତିଆରି କରିଛି ଦିଲ୍ଲୀ ପୋଲିସ। ଜାନୁୟାରୀ ୨୬ରେ ଚାଷୀମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଟ୍ରାକ୍ଟର ରାଲି କରିବେ। ଚାଷୀମାନଙ୍କୁ ମୋଟ ୩ଟି ରୁଟ୍ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଛି। ସାଧାରଣତନ୍ତ୍ର ଦିବସ ପରେଡ୍ ଏବଂ ଚାଷୀମାନଙ୍କର ଟ୍ରାକ୍ଟର ରାଲି ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହେବ। ସେଥିପାଇଁ ଦିଲ୍ଲୀ ପୋଲିସ କମିସନର ସମସ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି।
ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିବା ପରେ ଚାଷୀ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି, ‘ଦିଲ୍ଲୀ ପୋଲିସ ସହିତ ଏକ ବୈଠକ ହୋଇଥିଲା। ଟ୍ରାକ୍ଟର ରାଲି ପାଇଁ ପୋଲିସ ଠାରୁ ଔପଚାରିକ ଅନୁମତି ମିଳିଛି। ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ଶାନ୍ତିପୂର୍ଣ୍ଣ ଭାବେ କରାଯିବ’।
କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ପୂର୍ବରୁ ୧୧ ଥର ବୈଠକ ହୋଇସାରିଛି। କିନ୍ତୁ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସରକାର ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। କୃଷି ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ସରକାର ଚାଷୀମାନଙ୍କୁ ପ୍ରସ୍ତାବ ଦେଇଥିଲେ ସୁଦ୍ଧା କୃଷକ ସଂଗଠନମାନେ କୃଷି ଆଇନ ପ୍ରତ୍ୟାହାର ଜିଦ୍ରେ ଅଟଳ ଅଛନ୍ତି।