Odisha Link
Bridging the Missing Links in Odisha

ଦିନଟିଏ ପାଇଁ ସୃଷ୍ଟି ହେଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ

ଡେରାଡୁନ୍: ସତ ପାଲଟିଛି ‘ନାୟକ’ ଚଳଚ୍ଚିତ୍ରର କାହାଣୀ। ଜାତୀୟ କନ୍ୟା ସନ୍ତାନ ଦିବସରେ ହରିଦ୍ବାରର ସୃଷ୍ଟି ଗୋସ୍ବାମୀ ଦିନଟିଏ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ୨୪ ଜାନୁଆରୀକୁ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଇଥାଏ। ଆଜି ସୃଷ୍ଟି ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ ରାଜଧାନୀ ଗୈରସେଣରେ ରହି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଅଟଳ ଆୟୁଷ୍ମାନ ଯୋଜନା, ସ୍ମାର୍ଟ ସିଟି ପରିଯୋଜନା, ପର୍ୟ୍ୟଟନ ବିଭାଗର ହୋମ ଷ୍ଟେ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଏହି ସବୁ ଯୋଜନାର ସମୀକ୍ଷା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ଉତ୍ତରାଖଣ୍ଡ ସରକାରଙ୍କ ବିଭିନ୍ନ ବିଭାଗ ପରିଦର୍ଶନ କରିଛନ୍ତି। ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉକ୍ତ ବିଭାଗ ସଂକ୍ରାନ୍ତରେ ସୃଷ୍ଟିଙ୍କୁ ବୁଝାଇଥିଲେ। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ସମସ୍ତ ସଚିବ ସେଠାରେ ଉପସ୍ଥିତ ଥିଲେ।

ସୃଷ୍ଟିଙ୍କ ଘର ହରିଦ୍ବାର ଜିଲା ଦୌଲତପୁର ଗାାଁରେ। ପିତା ପ୍ରବୀଣ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ଓ ମା’ ସୁଧା ଅଙ୍ଗନବାଡ଼ି କର୍ମୀଭାବେ କାର୍ୟ୍ୟରତ। ସେ ଏବେ ବିଏସଏମ ପିଜି କଲେଜ​ରେ ବିଏସସି ଏଗ୍ରିକଲଚର ଶ୍ରେଣୀର ୭ମ ସେମିଷ୍ଟାରର ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି। ସେ ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ବିଭିନ୍ନ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

ମେ ୨୦୧୮ରେ ସେ ଉତ୍ତରାଖଣ୍ଡ ଶିଶୁବିଧାନସଭାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୯ରେ ଅନ୍ତର୍ଜାତୀୟ ବାଳିକା ସମ୍ମିଳନୀରେ ଭାଗ ନେବା ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ଏହା ବ୍ୟତୀତ ସେ ସ୍ଥାନୀୟ ଅଞ୍ଚଳର କେତେକ ଶିକ୍ଷା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟ କରନ୍ତି।

Comments are closed.