Odisha Link
Bridging the Missing Links in Odisha

ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

ମୋହନା : ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ। ଏହି ଅଭାବନୀୟ ଘଟଣାଟି ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଗାଁରେ ଘଟିଛି। ପୁଲିସ ଅଭିଯୁକ୍ତ ଦାଦା ଭୂଷଣ ନାୟକକୁ ଅଟକ ରଖି ପଚରା ଉଚରା କରୁଛି ।

ପ୍ରକାଶ ଯେ, ବୁଧବାର ରାତି ପ୍ରାୟ ୯ଟାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ ବିଶ୍ବନାଥ ଏକ କାଠ ଫାଳିଆରେ ଭୂଷଣକୁ ଆକ୍ରମଣ କରିବା ବେଳେ ଭୂଷଣ ଟାଙ୍ଗିଆରେ ବିଶ୍ବନାଥଙ୍କ ବେକକୁ ଚୋଟ ପକାଇଥିଲା ।

ଫଳରେ ବିଶ୍ବନାଥ ଗୁରୁତର ହୋଇଥିଲେ। ଗାଁ ଲୋକେ ପ୍ରଥମେ ତାଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବିଶ୍ଵନାଥକୁ ମୃତ ଘୋଷଣା କରିଥିଲେ ଡାକ୍ତର।

ମୋହନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

Comments are closed.