Odisha Link
Bridging the Missing Links in Odisha

ପିଏମ୍‌ ମୋଦୀ ଓ ଭାରତୀୟ ନାଗରିକଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାରା ବିଶ୍ବରେ ଭାରତ ନିର୍ମିତ କରୋନା ଟିକାର ଚାହିଦା ବଢ଼ିବାରେ ଲାଗିଛି। ଏଥିସହିତ ଅନ୍ୟ ରାଷ୍ଟ୍ରକୁ ପ୍ରତିଶୃତି ଦେଇ କଥା ରଖିଛନ୍ତି ଭାରତ ସରକାର। ଶ୍ରୀଲଙ୍କାରେ ପହଁଞ୍ଚିଲା ଭାରତରେ ନିର୍ମିତ କରୋନା ଟିକା। ୫ ଲକ୍ଷ କୋଭିଡ ଟିକା ଆଜି ଶ୍ରୀଲଙ୍କାରେ ପହଁଞ୍ଚିଛି।

ଶ୍ରୀଲଙ୍କାରେ କରୋନା ଟିକା ପହଁଞ୍ଚିବା ପରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଏହାକୁ ସ୍ବାଗତ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଭାରତ ସରକାର ଓ ନାଗରିକ ଏହି ବିପଦ ସମୟରେ ଆମକୁ ସହଯୋଗ କରୁଥିବାରୁ ଧନ୍ୟବାଦ।

ଅପରପକ୍ଷେ, ଭାରତକର ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଟ୍ୱିଟ୍‍ କରି କହିଛନ୍ତି, ଶ୍ରୀଲଙ୍କା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ତଥା ବିଶ୍ୱସ୍ଥ ଭାଗିଦାରୀ ରାଷ୍ଟ୍ର। ଭାରତର ‘ଭାକ୍‍ସିନ୍‍ ମୈତ୍ରୀ’ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଶ୍ରୀଲଙ୍କାକୁ ଏହି ପ୍ରତିଷେଧକ ଦାନ କରାଯାଇଛି। ପୂର୍ବରୁ ଭାରତ ଏହାର ୭ଟି ପଡ଼ୋଶୀ ଦେଶକୁ କୋଭିଡ ଟିକା ଦାନ କରିସାରିଛି। ଭାରତର ଏହି ମାନବୀୟ କାର୍ଯ୍ୟରୁ ଏହାର ‘ପଡ଼ୋଶୀ ଦେଶ ପ୍ରଥମେ’ ନୀତି ଓ ‘ସାଗର ନୀତି’ ପ୍ରତି ଏହା ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରମାଣିତ ହୋଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି।

ଗତବର୍ଷ ସେପ୍ଟେମ୍ବର ମାସରେ ଦୁଇ ଦେଶ ମଧ୍ୟରେ ଭର୍ଚୁଆଲ୍‍ ମାଧ୍ୟମରେ ଅନୁଷ୍ଠିତ ଦ୍ୱିପକ୍ଷୀୟ ଶିଖର ବୈଠକ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଭାରତ ବାହାରିନ୍‍କୁ ମଧ୍ୟ କୋଭିଡ ଟିକା ପଠାଇଛି।

Comments are closed.