Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ

ଭୁବନେଶ୍ବର:  ଦେଶରେ ଆଇନ୍‍ ଶିକ୍ଷା ଓ ଆଇନ୍‍ ବୃତ୍ତିର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ନିମନ୍ତେ ଅଧିବକ୍ତା ଆଇନ ୧୯୬୧ ଅନୁସାରେ ସଂସଦ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବୈଧାନିକ ସଂସ୍ଥା। ଉଭୟ ଆଇନ୍‍ ଶିକ୍ଷା ଓ ବୃତ୍ତିର ପ୍ରୋତ୍ସାହନ, ଆଇନ କ୍ଷେତ୍ରରେ ସଂସ୍କାର ଏବଂ ଗବେଷଣା ଓ ସାମାଜିକ ତାଲିମର ବିକାଶ ପାଇଁ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ଟ୍ରଷ୍ଟ ପକ୍ଷରୁ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ, ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ନିରନ୍ତର ଆଇନ୍‍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଆଇଏଲ୍‍ ଏକ ମଡେଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ‘ଲ ଟିଚର୍ସ ଟ୍ରେନିଂ ଓ ରିସର୍ଚ୍ଚ’ ଭାବେ କାର୍ଯ୍ୟ କରିବ। ଏହି ଏକାଡେମୀ ପ୍ରାଥମିକ ଭାବେ ଆଇନ୍‍ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ରହିବ।

ଭାରତର ଅନ୍ୟତମ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜି (କିଟ୍‍) ସହଯୋଗରେ ଆଇଆଇଏଲ୍‍ ପ୍ରତିଷ୍ଠା ହେବ। ବର୍ତ୍ତମାନ ସୁଦ୍ଧା ଆଇନ୍‍ ଶିକ୍ଷକ ଓ ଅଧ୍ୟାପକ ତଥା ଆଇନଜୀବୀଙ୍କ ଦକ୍ଷତା ବିକାଶର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଇନରେ କୌଣସି ତାଲିମ୍‍ ଅନୁଷ୍ଠାନ ନାହିଁ । ଆଇଆଇଏଲ୍‍ ପ୍ରତିଷ୍ଠା ହେଲେ ଭାରତରେ ଥିବା ଆଇନ୍‍ ସ୍କୁଲ୍‍ଗୁଡ଼ିକର ଯୁବ ଅଧ୍ୟାପକ ଓ ଯୁବ ଆଇନ୍‍ଜୀବିମାନେ ଏଠାରେ ସେମାନଙ୍କ ପାରଦର୍ଶିତା, ବୃତ୍ତିଗତ ଦକ୍ଷତା ଓ ବିଚକ୍ଷଣତା ବିକାଶ କରିପାରିବେ। ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ। ୧୯୮୬ ମସିହାରେ ବିସିଆଇ ଓ ଏହାର ଟ୍ରଷ୍ଟ ‘ବିସିଆଇ ଟ୍ରଷ୍ଟ’ ଦ୍ୱାରା ବାଙ୍ଗାଲୋରଠାରେ ପ୍ରଥମ କରି ନ୍ୟାସ୍‍ନାଲ୍‍ ଲ ସ୍କୁଲ୍‍ ଅଫ୍‍ ଇଣ୍ଡିଆ ୟୁନିଭର୍‍ସିଟି ଆଇନ୍‍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା। ଏହି ଅନୁଷ୍ଠାନ ଏବେ ଦେଶର ମଡେଲ ଆଇନ୍‍ ବିଶ୍ୱବିଦ୍ୟାଳୟ ଭାବେ କାର୍ଯ୍ୟ କରିଆସୁଛି।

ଆଜି ନୂଆଦିଲ୍ଲୀସ୍ଥିତ କନ୍‍ଷ୍ଟିଚ୍ୟୁସନ୍‍ କ୍ଲବରେ ଏ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବାର୍‍ କାଉନ୍‍ସିଲ୍‍ର ଅଧ୍ୟକ୍ଷ ମନନ କୁମାର ମିଶ୍ର, ସଭାପତି ଶ୍ରୀମନ୍ତୋ ସେନ୍‍ଙ୍କଠାରୁ ଆରମ୍ଭ କରି ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ସମସ୍ତ ସମସ୍ୟ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ କିଟ୍‍ ଓ ବିସିଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇ ପରସ୍ପର ମଧ୍ୟରେ ହସ୍ତାନ୍ତର ହୋଇଥିଲା। ବାର୍‍ କାଉନ୍‍ସିଲ୍‍ର ଅଧ୍ୟକ୍ଷ ଶ୍ରୀ ମିଶ୍ର ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ, କେତେକ ଅନିବାର୍ଯ୍ୟ କାରଣ ହେତୁ ବିସିଆଇର ଆଇଆଇଏଲ୍‍ ପ୍ରତିଷ୍ଠା ପରିକଳ୍ପନା କାର୍ଯ୍ୟକାରୀ ହୋଇପାରି ନଥିଲା। ଶେଷରେ  ବିସିଆଇ ଓ ବିସିଆଇ ଟ୍ରଷ୍ଟର ସଦସ୍ୟମାନେ କିଟ୍‍ ଓ କିସ୍‍ କ୍ୟାମ୍ପସ୍‍ ବୁଲିବା ପରେ ବିଶିଷ୍ଟ ଶିକ୍ଷାବିତ୍‍, ଦୂରଦ୍ରଷ୍ଟା, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହ ଯୋଗାଯୋଗ କରିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ ବିସିଆଇର ସଦସ୍ୟମାନେ ଭୁବନେଶ୍ୱରଠାରେ ଆଇଆଇଏଲ୍‍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏକମତ ହୋଇଥିଲେ ।  ତଦନୁସାରେ ବିସିଆଇ କିଟ୍‍ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ବୁଝାମଣାପତ୍ର ଅନୁସାରେ ଭୁବନେଶ୍ୱରରେ କିଟ୍‍ ଆବଶ୍ୟକ ଜମି ଯୋଗାଇ ଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍‍ ଭିତ୍ତିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ।

ବିଶ୍ୱ ତଥା ଭାରତ ଓ ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଆଇଆଇଏଲ୍‍ ପ୍ରତିଷ୍ଠା ଆଇନ୍‍ ଶିକ୍ଷା କ୍ଷେତ୍ରରେ ପ୍ରଭାବ ପକାଇବ, ଏଥିରେ କୌଣସି ସନ୍ଦେହ ନାହିଁ । ବିଶେଷ କରି ଓଡ଼ିଶା ଏବଂ ସାମଗ୍ରିକ ଭାବେ ଭାରତ ପାଇଁ ଏହା ଏକ ବିରାଟ ସଫଳତା ଓ ଗୌରବ ହେବ। ନିରନ୍ତର ଆଇନ୍‍ ଶିକ୍ଷା, ବୃତ୍ତିଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ରିଫ୍ରେସର୍‍ କୋର୍ସ ଏବଂ ମଧ୍ୟସ୍ଥତା ଓ ଆପୋଷ ବୁଝାମଣା ଭଳି ବିକଳ୍ପ ବିବାଦ ସମାଧାନ ବିଧି ପାଇଁ ଶିକ୍ଷଣ ପାଠ୍ୟକ୍ରମ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆଇଆଲଏଲରେ ଚାଲୁ ରହିବ । ବିଭିନ୍ନ ଶିକ୍ଷଣ କେନ୍ଦ୍ର ଅଧୀନରେ ଆଇଆଇଏଲ୍‍ ଆଇନ୍‍, ନ୍ୟାୟ ଓ ସାମାଜିକ ବିକାଶର ସମସ୍ତ ଦିଗରେ ଗବେଷଣା କରିବ। ଆଇନ୍‍ ତାଲିମ ନେଉଥିବା ଆଇନ୍‍ଜୀବି ଏବଂ ନିରନ୍ତର ଆଇନ୍‍ ଶିକ୍ଷା ଉଦ୍ଦେଶ୍ୟରେ ଆଇନ୍‍ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ଆଇନ୍‍ ବିଷୟ ଉପରେ କେସ୍‍ବହି, ପତ୍ରିକା, ଡାଇଜେଷ୍ଟ ଓ ସମ୍ବାଦପତ୍ର  ଆଇଆଇଏଲ୍‍ ଦ୍ୱାରା ପ୍ରକାଶ କରାଯିବ।

ଏହି ଅନୁଷ୍ଠାନ ଆଇନଜୀବି, ଶିକ୍ଷାବିତ ଏବଂ ବିଚାରପତିଙ୍କ ପାଇଁ ମଧ୍ୟ ବିଭିନ୍ନ ସମୟରେ ଆଲୋଚନାଚକ୍ର, କର୍ମଶାଳା, ତାଲିମ କାର୍ଯ୍ୟକ୍ରମ ଆଦି ଆୟୋଜନ କରିବ। ଆଇଆଇଏଲ୍‍ ଭାରତ ଓ ଭାରତ ବାହାରେ ଥିବା ଜାତୀୟ ଲ ସ୍କୁଲ୍‍, ଅନ୍ୟାନ୍ୟ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ, ବୃତ୍ତିଗତ ସଂସ୍ଥା, ନ୍ୟାୟିକ ସଂସ୍ଥା, ସରକାରୀ ବିଭାଗ ଏବଂ ଏନଜିଓ ସମେତ ବିଭିନ୍ନ ବାର ଆସୋସିଏସନ୍‍, ରାଜ୍ୟ ବାର୍‍ କାଉନ୍‍ସିଲ୍‍, ଦେଶ ଓ ବିଦେଶରେ ଥିବା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନ୍‍ସ, ଆଇନ୍‍ର ବିକାଶ ପାଇଁ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ଅନୁଷ୍ଠାନ ସହ ସହଯୋଗ ସ୍ଥାପନ କରିବ।

Comments are closed.