Odisha Link
Bridging the Missing Links in Odisha

ଦିଲ୍ଲୀ ହିଂସାକାଣ୍ଡ: ଆଉ ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସା ଓ ଲାଲ କିଲ୍ଲାରେ ଧାର୍ମିକ ଧ୍ୱଜା ଉଡ଼ାଇବା ମାମଲାରେ ଆଉ ଜଣେ ଗିରଫ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଇକବାଲ୍‌ ସିଂହ। ମଙ୍ଗଳବାର ରାତିରେ ପଞ୍ଜାବର ହୋଶିୟାରପୁରରୁ ଦିଲ୍ଲୀ ପୁଲିସ୍ ତାଙ୍କୁ ଗିରଫ କରିଛି।

ତାଙ୍କ ଗିରଫଦାରୀ ଉପରେ ୫୦ହଜାର ଟଙ୍କାର ପୁରସ୍କାର ରଖାଯାଇଥିଲା। ଏହା ପୂର୍ବରୁ ଗତକାଲି ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଗିରଫ କରିଥିଲା। ଦୀପ ସିଦ୍ଧୁଙ୍କ ଉପରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ ହୋଇଥିଲା।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ରାଜଧାନୀ ଦିଲ୍ଲୀରେ ବଡ଼ ହିଂସାକାଣ୍ଡ ଘଟିଥିଲା। କିଛି ଚାଷୀ ଗୋଷ୍ଠୀ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ଟ୍ରାକ୍ଟର ରାଲି ପାଇଁ ସୀମା ଭିତରେ ଅନୁପ୍ରବେଶ କରିଥିଲା। ପୁଲିସ୍ ଏହାକୁ ରୋକିବାକୁ ପ୍ରୟାସ କରିବା ବେଳେ ପୁଲିସ ବ୍ୟାରିକେଡ୍ ଭାଙ୍ଗି ଏହି ଗୋଷ୍ଠୀ ପ୍ରଥମେ ଆଇଟିଓ ପହଞ୍ଚିଥିଲା ଏବଂ ସେଠାରେ ହଙ୍ଗାମା କରିଥିଲେ।

ଏଥିସହ ଓଲଟା ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ। ଆଇଟିଓ ପରେ ଏହି ଗୋଷ୍ଠୀ ଲାଲକିଲ୍ଲାରେ ପହଞ୍ଚିଥିଲା। ସେଠାରେ ପ୍ରବଳ ହିଂସା ଘଟାଇ ଲାଲ କିଲ୍ଲାର ପ୍ରାଚୀରରେ ତ୍ରିରଙ୍ଗା ବଦଳରେ ଏକ ଧାର୍ମିକ ଧ୍ୱଜା ଉଡ଼ାଇଥିଲେ।

Comments are closed.