Odisha Link
Bridging the Missing Links in Odisha

୧୫ରୁ ସ୍ବାଭାବିକ ହେବ ସବୁ କୋର୍ଟ

କଟକ: କରୋନା ମହାମାରୀ କାରଣରୁ ପ୍ରାୟ ୧୧ ମାସ ପରେ ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତ ଏବଂ ଟ୍ରିବ୍ୟୁନାଲ୍‌ ସ୍ୱାଭାବିକ ହେବାକୁ ଯାଉଛି। ଆସନ୍ତା ୧୫ତାରିଖରୁ ସବୁ ଅଦାଲତରେ ସିଧାସଳଖ ଶୁଣାଣି ଆରମ୍ଭ ହେବ। ସବୁ ନିମ୍ନଅଦାଲତ ଓ ଟ୍ରିବୁନାଲ୍‌ରେ କିପରି କୋଭିଡ୍‌ର ସମସ୍ତ ଗାଡଇ୍‌ଲାଇନ୍‌କୁ ମାନି ମାମଲାର ଶୁଣାଣି ହେବ ସେନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଆଜି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍‌ (ଏସ୍‌ଓପି) ଜାରି କରାଯାଇଛି। ହାଇକୋର୍ଟରେ ମଧ୍ୟ ଆସନ୍ତା ୧୫ରୁ ସିଧାସଳଖ ଶୁଣାଣି ହେବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଖୁବ୍‌ଶୀଘ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍ (ଏସ୍‌ଓପି) ଜାରି କରାଯିବ।

ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲ୍‌ ପାଇଁ ଜାରି ଏସ୍‌ଓପିରେ କୁହାଯାଇଛି ଯେ, ଅଦାଲତରେ ମହକିଲ ଏବଂ ଜନସାଧାରଣ ପ୍ରବେଶ ନେଇ ପ୍ରତି ଜିଲ୍ଲା ଜଜ୍‌ କୋର୍ଟ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ଆବଶ୍ୟକ ପଦକ୍ଷେପ ନେବେ। ଯାହାଦ୍ୱାରା କି’ କୋର୍ଟ ପରିସରରେ ଭିଡକୁ ଏଡ଼ାଇ ଦିଆଯାଇ ପାରିବ। କୋର୍ଟ ପରିସର, କୋର୍ଟ ରୁମ୍‌, କୋର୍ଟ ଅଫିସ୍‌, ଚେୟାର, ଟେବୁଲ୍‌, ଆସବାବପତ୍ର ଆଦିର ବିଶୋଧନ ନିୟମିତ କରାଯିବ।

କୌଣସି ମାମଲାର ଶୁଣାଣି ସମୟରେ କୋର୍ଟ ରୁମ୍‌ରେ ସର୍ବାଧିକ ୪ଟି ମାମଲାର ଓକିଲ, ମହକିଲଙ୍କଠାରୁ ଅଧିକ ଲୋକ ଉପସ୍ଥିତ ରହିବେ ନାହିଁ । ନିର୍ଦ୍ଦିଷ୍ଟ କେତେକ କାର୍ଯ୍ୟ ଲାଗି କ୍ଲକ୍‌ମାନଙ୍କୁ କୋର୍ଟ ଭିତରକୁ ସେମାନଙ୍କ ଆଇନଜୀବୀଙ୍କ ସହ ଆସିବା ଲାଗି ଅନୁମତି ଦିଆଯିବ । ଯଦି ଅଧିକ ପରିମାଣର କେସ୍‌ ଫାଇଲ୍‌ ରହିଥିବ ସେହିଭଳି ମାମଲାରେ ଆଇନଜୀବୀମାନେ କ୍ଲକ୍‌ଙ୍କୁ ଅଦାଲତ ମଧ୍ୟକୁ ଆଣିପାରିବେ ବୋଲି ଏସ୍‌ଓପିରେ କୁହାଯାଇଛି।

ଆଇନଜୀବୀମାନେ କେବଳ ସେମାନଙ୍କର ମାମଲା ପରିଚାଳନା ପାଇଁ କୋର୍ଟ ମଧ୍ୟକୁ ଆସିବେ ଏବଂ ମାମଲାର ଶୁଣାଣି ଶେଷ ହେବାକ୍ଷଣି କୋର୍ଟ ପରିସର ଛାଡ଼ିବେ। କୋର୍ଟରେ ଥିବା ସମସ୍ତ ବ୍ୟକ୍ତିଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କୋର୍ଟ ପରିସରରେ ପାନ, ଗୁଟ୍‌ଖା ଖାଇ ଛେପ ପକାଇବା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲାଗୁ କରାଯାଇଛି। ଆବଶ୍ୟକସ୍ଥଳେ ଏହି ଏସ୍‌ଓପିରେ ପରିବର୍ତ୍ତନ ମଧ୍ୟ କରାଯାଇପାରେ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି।

Comments are closed.