Odisha Link
Bridging the Missing Links in Odisha

ସୋଆରେ ସ୍ପ୍ଲିଟ୍ କର୍ଡ ମାଲଫରମେସନ୍ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର (ଡ.) ଅଶୋକ କୁମାର ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ସ୍ପ୍ଲିଟ୍ କର୍ଡ ମାଲ୍‌ଫରମେସନ୍‌’ ପୁସ୍ତକକୁ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି। ଥିମ୍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ସ୍ପ୍ଲିଟ୍ କର୍ଡ ମାଲଫର୍ମେସନ୍ (ଏସ୍‌ସିଏମ୍‌) ସମ୍ପର୍କରେ ଗଭୀର ଆଲୋକପାତ କରାଯାଇଛି। ଏହା ଏକ ବିରଳ ସ୍ୱାସ୍ଥ୍ୟଗତ ଅବସ୍ଥା ଯାହା ଗର୍ଭସଞ୍ଚାର ପରେ ପରେ ସୃଷ୍ଟି ହୋଇଥାଏ। ଏଥିରେ ସୁଷୁମ୍ନାକାଣ୍ଡ (ସ୍ପାଇନାଲ୍ କର୍ଡ) ଦୁଇ ଭାଗ ହୋଇଯାଏ। ଏହି ରୋଗ ସମ୍ପର୍କରେ ବୁଝାଇବା ଅବସରରେ ବର୍ତ୍ତମାନର ସୋଆ କୁଳପତି ଏବଂ ନୂଆଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ମହାପାତ୍ର କହିଛନ୍ତି ଯେ, ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହୁଏ ତାହାର ସଠିକ୍ କାରଣ ଜଣାପଡି ନଥିବା ବେଳେ ଏ ନେଇ ଗବେଷଣା ଜାରି ରହିଛି।

ଏକ ହଜାରରୁ ଅଧିକ ନ୍ୟୁରୋସର୍ଜରୀ ଏବଂ ୪୦୦ରୁ ଅଧିକ ଏସିଏସ୍‌ଏମ୍ ସର୍ଜରୀ କରିଥିବା ପ୍ରଫେସର ମହାପାତ୍ର କହିଛନ୍ତି ଯେ, ଏସ୍‌ସିଏମ୍ ଭଳି ଅବସ୍ଥା ଭାରତରେ ଦେଖାଯାଏ। ୧୯୭୦ ଦଶକ ଓ ୧୯୮୦ର ପ୍ରାରମ୍ଭରେ ଯେତେବେଳେ ଶିଶୁମାନଙ୍କ କ୍ଷେତ୍ରରେ ନ୍ୟୁରୋସର୍ଜରୀ ପ୍ରାରମ୍ଭିକ ସ୍ତରରେ ଥିଲା ସେତେବେଳେ ଏଭଳି ସର୍ଜରୀ କରିବା ଏକ ପ୍ରକାର ଆହ୍ୱାନ ଥିଲା। ୧୯୮୦ ମସିହାରେ ଏମ୍‌ଆର୍‌ଆଇ ଏବଂ ସିଟି ସ୍କାନ୍ ଭଳି ପଦ୍ଧତି ଉପଲବ୍ଧ ନଥିବା ବେଳେ ଏମ୍‌ସରେ ଏଭଳି ସର୍ଜରୀ ଆରମ୍ଭ କରିବା ତାଙ୍କ ପାଇଁ ଖୁବ୍ ଜଟିଳ ଥିଲା ବୋଲି ସେ କହିଛନ୍ତି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପ୍ରଫେସର ମହାପାତ୍ର ଗତ ଦୁଇ ବର୍ଷ ମଧ୍ୟରେ ୫ଟି ଏଭଳି ସର୍ଜରୀ କରିଛନ୍ତି ବୋଲି କହିଛନ୍ତି। ନିଶ୍ଚେତକ ପ୍ରୟୋଗ କରି ନବଜାତ ଶିଶୁଙ୍କ କ୍ଷେତ୍ରରେ ସର୍ଜରୀ କରିବା ଖୁବ୍ ଆହ୍ୱାନମୂଳକ। ତେବେ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ କ୍ଷେତ୍ରରେ ଏତେଟା ସମସ୍ୟା ସୃଷ୍ଟି ହୁଏ ନାହିଁ ବୋଲି ସେ କହିଛନ୍ତି। ନବଜାତ ଶିଶୁଙ୍କ ସର୍ଜରୀ ପାଇଁ ଉପଯୁକ୍ତ ପ୍ରଶିକ୍ଷଣ, କୌଶଳ ଏବଂ ଅଭିଜ୍ଞତା ଅତ୍ୟନ୍ତ ଜରୁରୀ। ଏସ୍‌ସିଏମ୍ ପରିଚାଳନା କରିବାରେ ଛାତ୍ରଛାତ୍ରୀମାନେ ଅଧିକ ଜ୍ଞାନ ଆହରଣ କରିବା ଏହି ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି।

ଏହି ପୁସ୍ତକଟି ରଚନା କରିବାରେ ପ୍ରଫେସର ମହାପାତ୍ରଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ଆଡିସ୍‌ନାଲ୍‌ ପ୍ରଫେସର ସଚିନ୍ ଏ. ବୋରକର୍ ସହାୟତା କରିଥିବା ବେଳେ ଜର୍ମାନୀସ୍ଥିତ ହାନୋଭର୍ ମେଡିକାଲ୍ ୟୁନିଭର୍ସିଟିର ମୋଲିକୁଲାର ମେଡିସିନ୍ ରେ ପିଏଚ୍‌ଡି ହାସଲ କରିଥିବା ଡ. ଶୁଭଶ୍ରୀ ମହାପାତ୍ର ପାଣ୍ଡୁଲିପିକୁ ସଂପାଦନ କରିବାରେ ସାହାଯ୍ୟ କରିଛନ୍ତି।

Comments are closed.