Odisha Link
Bridging the Missing Links in Odisha

ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ ,ବୀର ପୁତ୍ରକୁ ଝୁରୁଛି ମା’ ମାଟି

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣରେ ୨ ବର୍ଷ ପୁର୍ବେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଦେଶ। ଏହାରି ମଧ୍ୟରେ ୨ ବର୍ଷ ବିତିଯାଇଛି, ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି। ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି। ସେଦିନ ଥିଲା ଫେବୃୟାରୀ ୧୪ ତାରିଖ। ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆର୍ପିଏଫ୍ ଯବାନଙ୍କ କାଫିଲା। ୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ। ସବୁ କିଛି ସ୍ୱାଭାବିକ୍ ଚାଲିଥିଲା।

ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଶବ୍ଦ। ଆଉ ଆଖି ଖୋଲି ଚାହିଁଲା ବେଳକୁ ସବୁ ଖିନ୍ବିନ୍ ହୋଇସାରିଥିଲା। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଞ୍ଚଳ ଏକ ପ୍ରକାର ଦୋହଲି ଯାଇଥିଲା। ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ସେହି ଭଳି ଘଟଣା, ଭାରତ ଇତିହାସରେ ହୁଏତ ପୂର୍ବରୁ କେବେ ଘଟିନଥିଲା। ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ଅନେକ ଯବାନ।

ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଖର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼। ପାଲଟା ଗୁଳିମାଡ଼ କଲା ବେଳକୁ ଅନେକ କିଛି ହରାଇ ସାରିଥିଲା ଭାରତ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର। ରକ୍ତରେ ଭିଜିଯାଇଥିଲା ରାଜରାସ୍ତା। ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା। ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା।

Comments are closed.