Odisha Link
Bridging the Missing Links in Odisha

ଜଙ୍ଗଲ ସୁରକ୍ଷାର ଗାଇଡ୍‌ଲାଇନ୍ ଏବଂ ଏସ୍‌ଓପିକୁ କଡାକଡି ଭାବେ ପାଳନ ପାଇଁ ଦୃଷ୍ଟି ଦିଅନ୍ତୁ ରାଜ୍ୟ ସରକାର : ମୋହନ

ଭୁବନେଶ୍ୱର: ଓଡିଶାର ସବୁଜ ବନାନୀ ହୁ ହୁ ହୋଇ ଜଳିଯାଉଛି କିନ୍ତୁ ଜଙ୍ଗଲ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର ଏଥିପ୍ରତି ଦୃଷ୍ଟି ନାହିଁ । ଜଙ୍ଗଲରେ ନିଆଁ ଲାଗିବା ସଂପର୍ଣ୍ଣ ମନୁଷ୍ୟକୃତ।

କିଛି ଜଙ୍ଗଲ ମାଫିଆ ଓ ଅସାମାଜିକ ବ୍ୟକ୍ତି ଏହି ଅକ୍ଷମଣୀୟ ଅପରାଧରେ ସଂପୃକ୍ତ। ଶିମିଳିପାଳ ସଂରକ୍ଷଣ ଜୈବ ମଣ୍ଡଳ ଜଳୁଛି। ପାଉଁଶ ହୋଇଯାଉଛନ୍ତି ଏକର ଏକର ସବୁଜିମା ସାଙ୍ଗକୁ ବହୁ ଔଷଧୀୟ ବୃକ୍ଷ ।

ସପ୍ତାହେରୁ ଅଧିକ ସମୟ ଧରି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ତଥ୍ୟ ଅନୁଯାୟୀ କେବଳ ମାର୍ଚ୍ଚ ୨ରେ ହୋଇଥିବା ଗୋଟିଏ ଦିନ ସର୍ଭେରେ ଭାରତର ୫୯୩ଟି ଜଙ୍ଗଲରେ ନିଆଁ ଲାଗିଥିବା ରେକର୍ଡ ହୋଇଥିବା ବେଳେ ଓଡିଶାର ସର୍ବାଧିକ ୨୨୮ଟି ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଥିଲା ।

ବର୍ତମାନ ଶିମିଳିପାଳ ସମେତ ୯୧୯ଟି ଘଂଚ ଜଙ୍ଗଲରେ ନିଆଁ ଲାଗିଛି, ଯାହାକି ଭାରତବର୍ଷର ଅନ୍ୟ କୈାଣସି ରାଜ୍ୟ ଅପେକ୍ଷା ସର୍ବାଧିକ। ଭୟାବହ ନିଆଁ ଦ୍ୱାରା ଅଭୟାରଣ୍ୟରେ ଥିବା ହରିଣ, ହାତୀ, ଭାଲୁ, ଶମ୍ବର ଓ ଅନ୍ୟ ବନ୍ୟ ଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ରାଜ୍ୟ ସରକାର ନିଆଁ ଲିଭେଇ ଦେଇଥିବା କଥା କହୁଥିବାବେଳେ ବାସ୍ତବରେ ସ୍ଥିତି ସଂପୂର୍ଣ୍ଣ ଅଲଗା ।

ଗତ ୫ବର୍ଷ ହେଲା ଜଙ୍ଗଲ ଦ୍ୱାରା ଗ୍ରୀଷ୍ମ ଆରମ୍ଭ ହେବା ପୂର୍ବରୁ ଜଙ୍ଗଲ ନିଆଁକୁ କାବୁ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି କିଣାଯାଉଛି ଓ ଏଥିପାଇଁ ଏକ ସ୍ୱତନ୍ତ୍ର ବଜେଟ ଅଛି ଯାହାକି ଏବେ ୨୦କୋଟି ଟଙ୍କା ଟପିଲାଣି ।

୨୦୧୬-୧୭ ଆର୍ଥିକ ବର୍ଷରେ ଏ ବାବଦରେ ୧୬.୨୯କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ୨୦୧୭-୧୮ ରେ ୧୮.୫୮ କୋଟି ଏବଂ ପରବର୍ତୀ ବର୍ଷରେ ଏହା ୨୦ କୋଟି ଟଙ୍କା ଟପିଛି। ଏହାବ୍ୟତୀତ ୨୦୧୬ରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଏସ୍‌ଓପି ଜାରି ହୋଇଛି । ମାତ୍ର ଏତେ ସବୁ ଗାଇଡ୍‌ଲାଇନ୍ ଓ ଏସ୍‌ଓପି ସତ୍ୱେ ଜଙ୍ଗଲ ନିଆଁକୁ ଆୟତ କରାଯାଇନାହିଁ।

ଓଡିଶାର ସବୁଜ ବନାନୀ ଏବଂ ଜୈବ – ବିବିଧତା କିପରି ସୁରକ୍ଷିତ ରହିବ ଏବଂ ଜଙ୍ଗଲ ସୁରକ୍ଷାର ଗାଇଡ୍‌ଲାଇନ୍ ଏବଂ ଏସ୍‌ଓପିକୁ କଡାକଡି ଭାବେ ପାଳନ ପାଇଁ ଦୃଷ୍ଟିଦେବାକୁ ବିଜେପି ଦାବୀ କରିଛି ।

ଏହି ପ୍ରସଙ୍ଗରେ ଆଜି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବୀ ଜଣାଇଛନ୍ତି ।

ଗତକାଲି ରାଜ୍ୟକାର୍ଯ୍ୟକାରିଣୀ ବୈଠକ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସଂକ୍ରାନ୍ତରେ ଚିନ୍ତା ପ୍ରକଟ କରିବା ସହ ଆଲୋଚନା କରିଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସମସ୍ୟାର ସମାଧାନ ସହ ଓ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦାବୀ ଜଣାଇବାକୁ କହିଥିଲେ ବୋଲି ମାଝୀ ସୁଚନା ଦେଇ କହିଛନ୍ତି।

ଜଙ୍ଗଲ ପରିବେଶ ଓ ଜୈବ ମଣ୍ଡଳର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବହୁ ପରିମାଣର ଅର୍ଥ ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ସେହି ଅର୍ଥକୁ ସଠିକ ଭାବେ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି।

ଏହି ପ୍ରସଙ୍ଗକୁ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେସନରେ ବିଜେପି ତରଫରୁ ଆଲୋଚନା କରିବୁ ବୋଲି ମାଝୀ କହିଛନ୍ତି। ବହୁ ଶିଘ୍ର ଭାରତୀୟ ଜନତା ପାର୍ଟୀର ୩ଟି ଭିନ୍ନ ଭିନ୍ନ ଦଳ ରାଜ୍ୟର ୩ଟି ବିଭିନ୍ନ ଅଂଚଳକୁ ଗସ୍ତ କରି ଜଙ୍ଗଲ, ବନ୍ୟପ୍ରାଣୀ, ବନ୍ୟ ସଂପଦର ସୁରକ୍ଷା ଏବଂ ରାଜ୍ୟସରକାରଙ୍କ ପଦକ୍ଷେପର ସମୀକ୍ଷା କରିବ ବୋଲି ମାଝୀ କହିଛନ୍ତି।

ରାଜ୍ୟ ସରକାରଙ୍କ ଗୋଟିଏ ବିଭାଗ ଜଙ୍ଗଲରେ ନିଆଁ ଲଗାନ୍ତି ଏବଂ ଆଉ ଗୋଟିଏ ବିଭାଗ ସେହି ନିଆଁକୁ ଲିଭାନ୍ତି । କେନ୍ଦୁପତ୍ର ବିଭାଗ ନିଆଁ ଲଗାଉଥିବାବେଳେ ଜଙ୍ଗଲ ବିଭାଗ ନିଆଁ ଲିଭାନ୍ତି।

ମାତ୍ର ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଜଙ୍ଗଲରେ ନିଆଁ ଲିଭାଇବା ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଏହି ଅବସରରେ ବିଧାୟକ ସୁବାଷ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି।

କାମ୍ପା ଫଣ୍ଡରେ ହୋଇଥିବା ଦୁର୍ନୀତିକୁ ଲୁଚାଇବା ପାଇଁ ରାଜ୍ୟ ସରକାର ନିଜେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ବୋଲି ଉପସ୍ଥିତ ଅନ୍ୟତମ ବିଧାୟକ ପ୍ରକାଶ ସୋରେନ ଅଭିଯୋଗ କରିଛନ୍ତି।

Comments are closed.