Odisha Link
Bridging the Missing Links in Odisha

କର୍ଣ୍ଣାଟକ ବିପକ୍ଷରେ ପୃଥ୍ବୀ ଖେଳିଲେ ୧୬୫ ରନର ବିସ୍ଫୋରକ ଇନିଂସ୍, ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ କଲେ ଏହି କାରନାମା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଓ ଟି-୨୦ ସିରିଜରୁ ବାଦ ପଡ଼ିଥିବା ପୃଥ୍ବୀ ଶ’ ବିଜୟ ହଜାରେ ଟ୍ରଫିରେ କରୁଛନ୍ତି ଦମଦାର ପ୍ରଦର୍ଶନ। ନୂଆଦିଲ୍ଲୀରେ ଖେଳା ଯାଉଥିବା ବିଜୟ ହଜାରେ ଟ୍ରଫିର ସେମି ଫାଇନାଲ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛନ୍ତି ମୁ‌ମ୍ବାଇ ଦଳର ଅଧିନାୟକ ପୃଥ୍ବୀ ଶ’। କର୍ଣ୍ଣାଟକ ବିପକ୍ଷ ମ୍ୟାଚରେ ଖେଳିଛନ୍ତି ଶାନଦାର ଶତକୀୟ ଇନିଂସ୍। ୧୨୨ଟି ବଲ୍‌ ଖେଳି ପୃଥ୍ବୀ ୧୭ ଚୌକା ଓ ୭ ଛକା ବଳରେ କରିଛନ୍ତି ୧୬୫ ରନ୍। ଯାହାଫଳରେ ମୁମ୍ବାଇ ୩୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଯାହାଫଳରେ କର୍ଣ୍ଣାଟକୁ ୩୨୩ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି ମୁମ୍ବାଇ ଟିମ୍।

ତେବେ ଏହା ପୂର୍ବରୁ ମଧ୍ୟ ପୃଥ୍ୱୀ ଶ’ ଖେଳିଛନ୍ତି ଜବରଦସ୍ତ ଇନିଂସ୍। ସୌରାଷ୍ଟ୍ର ବିପକ୍ଷ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚରେ ପୃଥ୍ୱୀ ମାତ୍ର ୧୨୩ ବଲରେ ଅପରାଜିତ ୧୮୫ ରନ୍ କରିଥିଲେ। ସେହିପରି ଟୁର୍ଣ୍ଣାମେଣ୍ଟରେ ପୁଡୁଚେରୀ ବିପକ୍ଷରେ ୧୫୨ ବଲରେ ଅପରାଜିତ ୨୨୭ ଓ ଦିଲ୍ଲୀ ବିପକ୍ଷରେ ୮୯ ବଲରେ ୧୦୫ ରନର ଇନିଂସ୍ ଖେଳିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ପୃଥ୍ୱୀ ୭ଟି ମ୍ୟାଚରୁ ୭୫୪ ରନ୍ କରି ଟପ୍ ସ୍କୋରର ଅଛନ୍ତି।

କର୍ଣ୍ଣାଟକ ବିପକ୍ଷ ୧୬୫ ରନର ଶତକୀୟ ଇନିଂସ୍‌ ବଳରେ ଏକ ଖାସ୍‌ ଉପଲବ୍ଧି ହାସଲ କରିଛନ୍ତି ପୃଥ୍ବୀ। ଏକ ଘରୋଇ ସିଜିନରେ ଗୋଟିଏ ଦ୍ବିଶତକ ଓ ୨ଥର ଦେଢ଼ଶହରୁ ଅଧିକ ରନ୍‌ କରିବା ମାମଲରେ ପ୍ରଥମ ବ୍ୟାଟସମ୍ୟାନ୍‌ ହୋଇଛନ୍ତି ପୃ‌ଥ୍ବୀ। ଏଥିସହିତ ସୂର୍ଯ୍ୟକୁମାର ଯାଦବ ଟିମ୍‌ ଇଣ୍ଡିଆରେ ସାମିଲ ହେବା ପରେ ପୃଥ୍ବୀ ୩ଟି ମ୍ୟାଚରେ ମୁମ୍ବାଇର ନେତୃତ୍ବ ନେଇଛନ୍ତି। ଆଉ ତିନୋଟି ଯାକ ମ୍ୟାଚରେ ତିନୋଟି ଶତକୀୟ ଇନିଂସ୍‌ ମଧ୍ୟ ଖେଳିଛନ୍ତି।

Comments are closed.