Odisha Link
Bridging the Missing Links in Odisha

ଛତୁ ଉତ୍ପାଦନରେ ଏକ ନମ୍ବର ଓଡ଼ିଶା: ଅରୁଣ ସାହୁ

ଭୁବନେଶ୍ବର: ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ମେଳା ‘କୃଷି ଓଡ଼ିଶା’। ଏହା ଆସନ୍ତା ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ହେବାକୁ ଥିବା ଏହି ମହୋତ୍ସବକୁ ୧୫ ତାରିଖ ସନ୍ଧ୍ୟା ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଚଳିତ ବର୍ଷ ‘କୃଷି ଓଡ଼ିଶା’ର ମାସ୍କଟ ଭାବେ ‘ଛତୁ’ ରଖାଯାଇଛି। ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟ ହୋଇଥିବାରୁ ଏହାକୁ ମାସ୍କଟ ଭାବେ ଚୟନ କରାଯାଇଛି।

ସମଗ୍ର ଦେଶରେ ଓଡ଼ିଶା ପାଳଛତୁ ଉତ୍ପାଦନରେ ପ୍ରଥମ ଓ ମୋଟ ଛତୁ ଉତ୍ପାଦନରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ‘କୃଷି ଓଡ଼ିଶା’ ସମ୍ପର୍କରେ ସୂଚନା ଦେଇ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ, ଚଳିତ ବର୍ଷ ‘କୃଷି ଓଡ଼ିଶା’ର ବିଷୟବସ୍ତୁ ରହିଛି ‘ସମନ୍ବିତ ଚାଷ, ଚାଷୀର ବିକାଶ’। ଏହାକୁ ଫିକି ସହଯୋଗିତାରେ କୃଷି ବିଭାଗ ଆୟୋଜନ କରୁଛନ୍ତି।

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନତୀକରଣ ପାଇଁ ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକୀକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକ ଋଣର ସହଜ ଉପଲବ୍ଧତା, ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ନିମନ୍ତେ ଗୋଟିଏ ଛାତ ତଳେ ସବୁ ଅଂଶୀଦାରମାନଙ୍କୁ ଏକାଠି କରି ‘କୃଷି ଓଡ଼ିଶା’ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ପୂର୍ବ ବର୍ଷଗୁଡ଼ିକର ଅନୁଭୂତିରୁ ଜଣାପଡ଼ିଛି ଯେ କୃଷି ଓଡ଼ିଶାର ପ୍ରଭାବ ସୁଦୂର ପ୍ରସାରୀ ‌ହୋଇପାରିଛି।

ଏହା ଚାଷୀ, କୃଷି ଉଦ୍ୟୋଗୀ, କୃଷି ବି‌ଶେଷଜ୍ଞ ଓ କୃଷି ସାମଗ୍ରୀ ବିତରଣକାରୀଙ୍କ ପାଇଁ ଜ୍ଞାନ ଲାଭର ଏକ ପ୍ରକୃଷ୍ଟ ସ୍ଥାନ। ଏହା ଦ୍ବାରା ରାଜ୍ୟର କୃଷି ଉନ୍ନତ ହେବା ସହ ଆନୁଷଙ୍ଗିକ କ୍ଷେତ୍ରର ମଧ୍ୟ ଯଥେଷ୍ଟ ଅଗ୍ରଗତି ହୋଇଛି। ୫ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମହୋତ୍ସବରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେବ। ୧୦ଟି ବିଷୟବସ୍ତୁ ଉପରେ କୃଷକ, କୃଷି ଉଦ୍ୟୋଗୀ, ବି‌ଶେଷଜ୍ଞମାନଙ୍କ ସହ ଆଲୋଚନାଚକ୍ର ହେବ। ରାଜ୍ୟର ୩୦ଟି ଜିଲ୍ଲାରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ସମସ୍ତ କାର୍ଯ୍ୟକ୍ରମକୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯିବ।

‘କୃଷି ଓଡ଼ିଶା’ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନ କରାଯାଇ ଆୟୋଜନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୃଷି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍‌ ମୁଥୁକୁମାର ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଉପସ୍ଥିତ ଥିଲେ।

Comments are closed.