Odisha Link
Bridging the Missing Links in Odisha

ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ଶିମିଳପାଳ ଗସ୍ତ

ଭୁବନେଶ୍ୱର: ରାଜ୍ୟର ଅନେକ ପାହାଡ ଏବଂ ବନାଞ୍ଚଳ ବର୍ତ୍ତମାନ ନିଆଁର ଘେରରେ ରହିଛି। ଜଙ୍ଗଲ ନିଆଁ ଆୟତବସ୍ଥାରେ ଥିବା ରାଜ୍ୟ ସରକାର କହୁଥିବାବେଳେ କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। ଜଙ୍ଗଲ ନିଆଁର ସାଂପ୍ରତିକ ସ୍ଥିତି କଣ ରହିଛି ଏବଂ ଏହା ପ୍ରଭାବରେ ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି, ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରି ଏହାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରାଯିବ ବୋଲି ବରିଷ୍ଠ ବିଧାୟକ ତଥା ପ୍ରତିନିଧି ଦଳର ମୁଖ୍ୟ ଜୟନାରାୟଣ ମିଶ୍ର କହିଛନ୍ତି।

ଜଙ୍ଗଲରେ ନିଆଁ ଲିଭାକୁ ନେଇ ରାଜ୍ୟ ସରକାର ଯେଉଁ ତଥ୍ୟ ଦେଇଛନ୍ତି, ତାର ମଧ୍ୟ ଅନୁଧ୍ୟାନ କରାଯିବ। ନିଆଁକୁ ଲିଭାଇବା ପାଇଁ ରାଜ୍ୟ ସରକାର କଣ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ? ଶିମିଳିପାଳ ଅଞ୍ଚଳରେ ବାସ କରୁଥିବା ଆଦିମ ଜନଜାତି (ପିଭିଟିଜି)ର ଖେଡିଆ ଓ ମାଙ୍କଡିଆ ଜନଜାତିଙ୍କ ସମେତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହିତ ଜଙ୍ଗଲ ବିଭାଗ କତୃପକ୍ଷଙ୍କ ସହ ଆଲୋଚନା କରିବ ଏହି ପ୍ରତିନିଧି ଦଳ ବୋଲି ଶ୍ରୀ ମିଶ୍ର ସୁଚନା ଦେଇ କହିଛନ୍ତି।ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁର ପ୍ରକୃତ ଏବଂ ସମସ୍ତ ବାସ୍ତବ ତଥ୍ୟ ଅନୁଧ୍ୟାନ କଲା ପରେ ବିଧାନସଭାରେ ଆଲୋଚନା କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବରିଷ୍ଠ ନେତାଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁବାଷ ପାଣିଗ୍ରାହୀ, ସୁକାନ୍ତ ନାୟକ, ଭାସ୍କର ମଢେଇ, ନାଉରୀ ନାଏକ, ନବଚରଣ ମାଝୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଷ ରାମ ଖୁଂଟିଆ, ପ୍ରକାଶ ସୋରେନ, ଜୟନ୍ତ ଷଡଙ୍ଗୀ, ଡା.ବୁଧନ ମୁର୍ମୁ, ସନାତନ ବିଜୁଳି, ଡ.ମୁକେଶ ମହାଲିଙ୍ଗ, ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଉପାଧକ୍ଷ ନରେନ୍ଦ୍ର ସାହୁ ପ୍ରମୁଖ ସାମିଲ ଅଛନ୍ତି।

ଏହି ପ୍ରତିନିଧି ଦଳ ଆସନ୍ତା କାଲି ଲୁଲୁଙ୍ଗ, ପିଟାବାଟ, ବରେଇପାଣି, ଗୁଡଗୁଡିଆ ବାଟ ଦେଇ ଯଶୀପୁର ଯିବେ। ଏହା ପରେ ଯଶୀପୁରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

Comments are closed.