ମାର୍ଚ୍ଚ ୧୫: ଓଡ଼ିଶାରେ କରୋନାକୁ ପୂରିଲା ବର୍ଷେ

ଭୁବନେଶ୍ବର: ଓଡ଼ିଶାରେ କରୋନାକୁ ପୁରିଲା ବର୍ଷେ। ଗତବର୍ଷ ଆଜିର ଦିନରେ ଚିହ୍ନଟ ହୋଇଥିଲା ରାଜ୍ୟର ପ୍ରଥମ କରୋନା ପଜିଟିଭ୍। ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ହରିଚନ୍ଦନ ଇଟାଲିରୁ ଭୁବନେଶ୍ୱର ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇଥିଲା ପ୍ରଥମ କରୋନା ଆକ୍ରାନ୍ତ। ଏହାପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଆଇସୋଲେସନରେ ରଖାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ଦେବାଶିଷ। ଏହାରି ଭିତରେ ରାଜ୍ୟରେ କରୋନା ସଂକ୍ରମଣକୁ ବର୍ଷେ ପୁରିଛି।
ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାରଙ୍କ ଆରମ୍ଭ କରିଥିଲେ କରୋନା ମୁକାବିଲା ପ୍ରସ୍ତୁତି। ମାର୍ଚ୍ଚ ୧୩ରେ କୋଭିଡକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିଲା। କରୋନା ସହ ଲଢ଼େଇ ପାଇଁ ମାର୍ଚ୍ଚ ୨୧ରୁ ରାଜ୍ୟରେ ଘୋଷଣା ହୋଇଥିଲା ସଟଡାଉନ୍। ସଂକ୍ରମଣ ମଧ୍ୟରେ ମହାମାରୀକୁ ସଫଳତାର ସହ ମୁକାବିଲା କରିଛି ଓଡ଼ିଶା। ମାତ୍ର କରୋନା ସଂକ୍ରମଣରେ ରାଜ୍ୟ ହରାଇଛି ଅନେକ କରୋନା ଯୋଦ୍ଧାଙ୍କୁ।
ବର୍ତ୍ତମାନ ରାଜ୍ୟରେ କରୋନା ଯୋଦ୍ଧାଙ୍କ ଉଦ୍ୟମ ଓ ସରକାରଙ୍କ ପଦକ୍ଷେପ ପାଇଁ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହୁଛି। ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି। ସବୁ ଦୋକାନ ବଜାର ସହ ସିନେମା ହଲ୍ ସ୍ବାଭାବିକ ହୋଇଛି ମାତ୍ର ମହାମାରୀ ଭୟ ଏବେ ବି ଟଳିନାହିଁ।
Comments are closed.