ପିପିଲି ଉପନିର୍ବାଚନ: ଆଜିଠାରୁ ନାମାଙ୍କନ ଦାଖଲ, ଏଯାଏଁ ପ୍ରମୁଖ ଦଳ ଘୋଷଣା କରି ନାହାନ୍ତି ପ୍ରାର୍ଥୀ

ପିପିଲି: ବାଜିଲାଣି ପିପିଲି ଉପନିର୍ବାଚନ ବିଗୁଲ। ଏସବୁ ମଧ୍ୟରେ ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ମାର୍ଚ୍ଚ ୩୦ ତାରିଖ ନାମାଙ୍କନର ଶେଷ ଦିନ। ସେହିପରି ମାର୍ଚ୍ଚ ୩୧ ତାରିଖରେ ହେବ ନାମାଙ୍କନପତ୍ର ଯାଞ୍ଚ। ଏପ୍ରିଲ ୩ ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ।
ଏସବୁ ମଧ୍ୟରେ ପିପିଲି ଉପନିର୍ବାଚନ ପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ହେଲେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଘୋଷଣା କରି ନାହାନ୍ତି ପ୍ରାର୍ଥୀଙ୍କ ନାମ। କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେ ନେଇ ରାଜ୍ୟ ରାଜନୀତି ସରଗରମ।
ତେବେ ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ। ପିପିଲି ନିମନ୍ତେ ୧.୧.୨୦୨୧କୁ ଯୋଗ୍ୟତା ତାରିଖ ଭାବେ ନେଇ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇଛି । ମୋଟ୍ ୨,୨୯,୫୮୩ ଜଣ ଭୋଟର୍ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୧,୧୯,୦୨୦ ଜଣ ପୁରୁଷ ଓ ୧,୨୦,୫୬୧ ଜଣ ମହିଳା । ମୋଟ୍ ୩୪୮ ବୁଥ୍ରେ ମତାଦାତାମାନେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ସମସ୍ତ ବୁଥ୍ରେ ଇଭିଏମ୍ ଓ ଭିଭିପ୍ୟାଟ୍ ବ୍ୟବହାର ହେବ । ଭୋଟର୍ମାନେ ମତଦାନ ପାଇଁ ୧୧ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ପାରିବେ ।