Odisha Link
Bridging the Missing Links in Odisha

କାଲିଠୁ ମହଙ୍ଗା ହେବ ଏହି ସବୁ ଜିନିଷ, କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ: କାଲିଠୁ ମହଙ୍ଗା ମାଡ଼। କାଲିଠୁ ନୂଆ ଆର୍ଥୀକ ବର୍ଷ ଆରମ୍ଭ ହେବା ସହ ବିଭିନ୍ନ ସାମଗ୍ରୀର ଦରଦାମ୍‌ ମଧ୍ୟ ବୃଦ୍ଧିପାଇବ। ଦୈନନ୍ଦିନ ସାମଗ୍ରୀ ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବ।

ଯାନବାହନ: ଏପ୍ରିଲ ପହିଲାରୁ କାର୍‌ ଏବଂ ବାଇକ୍‌ ମୂଲ୍ୟରେ ବୃଦ୍ଧି ଘଟିବ। ମାରୁତି ସୁଜୁକି ସମେତ ନିସାନ ଏବଂ ରେନଲ୍ଡ କାର୍‌ ମହଙ୍ଗା ହେବ। ଏଥିସହ ଦୁଇ ଚକିଆ ଯାନର ମଧ୍ୟ ମୂଲ୍ୟ ବଢ଼ିବ। ଟ୍ରାକ୍ଟର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିବା ନେଇ ସୂଚନା ମିଳିଛି।

ଟେଲିଭିଜନ: ସମସ୍ତ ପ୍ରକାରର ଏଲ୍‌ଇଡି, ଏଲ୍‌ସିଡି ଓ କର୍ଭ ଟଭିର ଦାମ୍‌ ବଢ଼ିବ। ଆସନ୍ତା କାଲିଠାରୁ ଟେଲିଭିଜନ କିଣାବିକାରେ ୨ ହଜାରରୁ ୩ ହଜାର ଟଙ୍କା ଯାଏଁ ବୃଦ୍ଧି ଘଟିବ।

ମୋବାଇଲ ଫୋନ୍: ମୋବାଇଲ ଫୋନ ଦାମ୍‌ ମଧ୍ୟ ବଢ଼ିବ। ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଚଳିତ ବଜେଟରେ ଇଲେକ୍‌ଟ୍ରୋନିକ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ପାଇଁ ଘୋଷଣା କରିଥିଲେ। ଯେଉଁଥିରେ ମୋବାଇଲ୍ ପୋର୍ଟ, ମୋବାଇଲ୍ ଚାର୍ଜର୍, ଆଡାପ୍ଟର, ବ୍ୟାଟେରୀ ଏବଂ ହେଡଫୋନ୍ ଇତ୍ୟାଦି ଅନ୍ତର୍ଭୁକ୍ତ। ଆମଦାନୀ ଶୁଳ୍କ ବୃଦ୍ଧି ପରେ ପ୍ରିମିୟମ୍ ରେଞ୍ଜ୍ ସ୍ମାର୍ଟଫୋନ୍ ସବୁଠୁ ମହଙ୍ଗା ହେବ।

ଏୟାର କଣ୍ଡିସନର: ନୂଆ ଆର୍ଥୀକ ବର୍ଷରୁ ଏସି ଏବଂ ଫ୍ରିଜ ମହଙ୍ଗା ହେବ। ଏସି ଏବଂ ଫ୍ରିଜ ଦାମ୍‌ରେ ୧୫ଶହରୁ ୨ ହଜାର ଟଙ୍କା ଯାଏଁ ବୃଦ୍ଧି ହେବ।

ବିମାନ ଯାତ୍ରା: ଏପ୍ରିଲ ପହିଲାରୁ ବିମାନ ଯାତ୍ରା ମଧ୍ୟ ମହଙ୍ଗା ହେବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏପ୍ରିଲ ୧ ତାରିଖରୁ ବାୟୁ ସୁରକ୍ଷା ଦେୟ (ASF) ବୃଦ୍ଧି କରିବାକୁ ଯାଉଛି। ଯେଉଁଥିପାଇଁ ବିମାନ ଯାତ୍ରା ମହଙ୍ଗା ହେବ। ଘରୋଇ ବିମାନରେ ଭଡା ଅତି କମରେ ୫ ପ୍ରତିଶତ ବୃଦ୍ଧି କରାଯିବ। ଘରୋଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବିମାନବନ୍ଦର ସୁରକ୍ଷା ଫି ବାବଦକୁ ୨୦୦ ଟଙ୍କା ଏବଂ ବିଦେଶୀ ଯାତ୍ରୀଙ୍କ ପାଇଁ ୧୨ ଡଲାର ଦେବାକୁ ପଡିବ।

Comments are closed.