Odisha Link
Bridging the Missing Links in Odisha

ବିଜାପୁର ଏନ୍‌କାଉଣ୍ଟର: ୨୧ ଜଣ ଯବାନଙ୍କ ମିଳୁନି ପତ୍ତା, ୫ ସହିଦ

୫ ଯବାନ୍ ସହିଦ ହେବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା

ରାୟପୁର: ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁରରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିୟମରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଯବାନ ଆହତ ହୋଇଥିଲେ। ତେବେ ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ଖବର। ଏନ୍‌କାଉଣ୍ଟର ପରେ ୨୧ ଜଣ ଯବାନଙ୍କ ପତ୍ତା ମିଳୁନି। ଯାହାଫଳରେ ଆଜି ସକାଳୁ ସେହି ଅଞ୍ଚଳରେ ପୁଣିଥରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଶନିବାର ୩ ଘଣ୍ଟା ଧରି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା।ଜଙ୍ଗଲରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ସେହି ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣ ନକ୍ସଲ ନିହତ ହୋଇଥିଲେ। ଜଣେ ମହିଳା ନକ୍ସଲଙ୍କ ମୃତଦେହ ଜବତ ହୋଇଛି। ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୩୦ ଜଣ ଯବାନ ଆହତ ହୋଇଛନ୍ତି। ସେଥୁରୁ ୨୩ଜଣଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୭ ଗୁରୁତର ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।

ଅପରପକ୍ଷେ ୫ ଯବାନ୍ ସହିଦ ହେବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ।

Comments are closed.