Odisha Link
Bridging the Missing Links in Odisha

ଟ୍ବିଟର୍‌ ତାଣ୍ଡବ: ଧର୍ମେନ୍ଦ୍ରଙ୍କୁ ବବିଙ୍କ କଟାକ୍ଷ

ଭର୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାକୁ ଧର୍ମେନ୍ଦ୍ର କଲମ୍ବସ୍‌ ପରି ଆବିଷ୍କାର କରିଛନ୍ତି ବୋଲି ତାତ୍ସଲ୍ୟ କରିଛନ୍ତି ବବି। ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ଅଭିଜ୍ଞତାକୁ ଧର୍ମେନ୍ଦ୍ର ପ୍ରଧାନ ସଦୁପଯୋଗ କରନ୍ତୁ ବୋଲି ବବି ଅନୁରୋଧ ଦେଇଛନ୍ତି।

ଭୁବନେଶ୍ବର: ଏଇ କିଛିଦିନ ହେବ ବିଭିନ୍ନ ଅବକାଶରେ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ସହ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କର ସମୀକରଣରେ ନୂଆ ରଙ୍ଗ ଲାଗିଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ସାଧାରଣତଃ ପରଦା ଆଢ଼ୁଆଳରେ ରହିବାକୁ ପସନ୍ଦ କରୁଥିବା ଓ ସାମାଜିକ ଗଣମାଧ୍ୟମରେ ସମାଲୋଚନା, ରାଜନୈତିକ ତର୍କ ଆଦିରୁ ନିଜକୁ ଦୂରେଇ ରଖୁଥିବା ବବିଙ୍କର ହଠାତ୍‌ ଏ ରୁଦ୍ରରୂପ ଅନେକଙ୍କୁ ଚକିତ କରିଛି।

ଏଇ କିଛିଦିନ ହେବ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ସମ୍ପର୍କର ସମୀକରଣରେ ନୂଆ ରଙ୍ଗ ଲାଗିବା ଭଳି ମନେହେଉଛି। ଗତ ସପ୍ତାହରେ ଭର୍ତ୍ତୃହରିଙ୍କ ବାପା ତଥା ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଉନ୍ମୋଚନ କଲେ। ଏ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଗତକାଲି କଟକରେ ପ୍ରଜାତନ୍ତ୍ର ପ୍ରଚାର ସମିତିର ବିଷୁବ ମିଳନ ଉତ୍ସବକୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ। ଉଭୟ ସଭାରେ ଭର୍ତୃହରିଙ୍କୁ ଛାଡ଼ିଦେଲେ ଆଉ ଜଣେ ବି ବିଜେଡି ନେତା ଉପସ୍ଥିତ ନଥିଲେ।

ଧର୍ମେନ୍ଦ୍ର ଦିଲ୍ଲୀ ସଭାରେ ସ୍ବର୍ଗତ ମହତାବଙ୍କ ବାବଦରେ ବେଶ୍‌ କହିଥିବା ବେଳେ ଭର୍ତୃହରିଙ୍କୁ ମଧ୍ୟ ପ୍ରଶଂସାରେ ପୋତି ପକାଇଥିଲେ। ଗତକାଲି ସଭାରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ନିଜ ଅଭିଭାଷଣ ପ୍ରଦାନ ବେଳେ ଭର୍ତ୍ତୃହରି ମହତାବଙ୍କୁ ଜଣେ ପ୍ରାଜ୍ଞ ଓ ବିଜ୍ଞ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ। କେବଳ ସେତିକି ନୁହେଁ, ଭର୍ତ୍ତୃହରିଙ୍କ ପ୍ରଜ୍ଞା ଓ ଜ୍ଞାନକୁ ବିଜେଡି କାହିଁକି କାମରେ ଲଗାଇ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ।

ବିଜେଡି ସାଂସଦଙ୍କ ସହ ବିଜେପି ନେତାଙ୍କର ଏଭଳି ସଂପୃକ୍ତି ଓ ବିଜେଡି ପ୍ରତି କଟାକ୍ଷ ସମ୍ଭବତଃ ବବିଙ୍କୁ ବାଧିଛି। ବିଜେଡି ଶକ୍ତିପୁଞ୍ଜର ଅନ୍ୟତମ ଉଜ୍ଜ୍ବଳ ତାରକା ଭାବେ ପରିଚିତ ବବି ଧର୍ମେନ୍ଦ୍ରଙ୍କର ମାତ୍ରାଧିକ ମହତାବ ପ୍ରୀତିକୁ ବରଦାସ୍ତ କରିପାରିନାହାନ୍ତି। ତାହା ତାଙ୍କ ଟୁଇଟ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି। ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଜବାବ ଦେବା ସହ ବବି ଅନୁରୂପ ପରାମର୍ଶ ଦେଇଛନ୍ତି।

ଭର୍ତୃହରି ବାବୁଙ୍କ ବୁଦ୍ଧି ଓ ଅଭିଜ୍ଞତାକୁ ଧର୍ମେନ୍ଦ୍ର କଲମ୍ବସ୍‌ ପରି ଆବିଷ୍କାର କରିଛନ୍ତି ବୋଲି ତାତ୍ସଲ୍ୟ କରିଛନ୍ତି ବବି। ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ଅଭିଜ୍ଞତାକୁ ଧର୍ମେନ୍ଦ୍ର ପ୍ରଧାନ ସଦୁପଯୋଗ କରନ୍ତୁ ବୋଲି ବବି ଅନୁରୋଧ ଦେଇଛନ୍ତି।

ଅନ୍ୟପଟେ ଆଜି ସକାଳେ ବବିଙ୍କର ଏ ଟୁଇଟ୍‌କୁ ମିଶ୍ର ପ୍ରତିକ୍ରିୟା ମିଳିଛି। ତାଙ୍କୁ କେହିକେହି ସମର୍ଥନ କରିଥିବା ବେଳେ ଆଉ କେହି ସମାଲୋଚନା କରିଛନ୍ତି। ବବି ମଧ୍ୟ ଅଶୋକ ଦାସଙ୍କ ଲିଗାସୀକୁ ଆଗକୁ ନବଢ଼ାଇ ନବୀନିଜମ୍‌ ପଛରେ ପଡ଼ିଛନ୍ତି ବୋଲି ଜଣେ ସମାଲୋଚକ ଲେଖିଛନ୍ତି। ବିବିଙ୍କର ମନ୍ତବ୍ୟ ନେଇ ଏଯାଏଁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଧର୍ମେନ୍ଦ୍ର।

Leave A Reply

Your email address will not be published.