Odisha Link
Bridging the Missing Links in Odisha

କରୋନା: ଗୋଟିଏ ଛାତିଥରା ଛବି

ଭୋପାଳରେ ଗତକାଲି ମୋଟ ୧୫୫ ଶବ ମଧ୍ୟରୁ ୧୧୨ ଶବ କରୋନା ଜନିତ ମୃତକଙ୍କର ବୋଲି ଭାସ୍କର ଦାବି କରିଛି। ତେବେ ସହର କର୍ତୃପକ୍ଷ ଏ ସଂଖ୍ୟାକୁ ମାତ୍ର ୪ ଭିତରେ ସୀମିତ ରଖିଛନ୍ତି।

ଉପର ଛବିଟି ହେଉଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସ୍ଥିତ ଭଗଭଦା ଶ୍ମଶାନ ଘାଟର ଆକାଶ ମାର୍ଗରୁ ନିଆଯାଇଥିବା ସ୍ଥିରଚିତ୍ର। ଗତକାଲି (ଏପ୍ରିଲ ୧୫, ଗୁରୁବାର) ସଂଧ୍ୟା ୭ଟା ୧୦ ମିନିଟରେ ଏ ଛବିଟି ଉଠାଯାଇଛି। ଏକାଥରକେ ୪୦ରୁ ଅଧିକ ଶବ ପୋଡ଼ାଯାଉଥିବାର ଏ ଚିତ୍ରରେ ଦେଖିବାକୁ ମିଳିଛି। ଆଜି ସକାଳେ ବହୁଳ ପ୍ରସାରିତ ହିନ୍ଦୀ ଖବରକାଗଜ ‘ଭାସ୍କର’ର ପ୍ରଥମ ପୃଷ୍ଠାରେ ଏ ଛବିଟି ଛପାଯାଇଛି।

ଛବିଟି ଆଜି ସକାଳୁ ସାମାଜିକ ଗଣମାଧ୍ୟମରେ ଚର୍ଚାରେ ଥିବା ବେଳେ ମଧ୍ୟପ୍ରଦେଶରେ ମହାମାରୀ ସ୍ଥିତିର ବିକଳ ଚିତ୍ରକୁ ପ୍ରତିନିଧିତ୍ବ କରୁଛି। ଗୁରୁବାର ଦିନ ଭୋପାଳ ସହରରେ ମାତ୍ର ୪ ଜଣ କୋଭିଡ୍‌ ଜନିତ ମୃତ୍ୟୁବରଣ କରିଛନ୍ତି ବୋଲି ସରକାରୀ ଭାବେ ଘୋଷଣା ହୋଇଥିଲେ ବି ଏ ସଂଖ୍ୟା ୧୧୨ ବୋଲି ଭାସ୍କର ପକ୍ଷରୁ ତଥ୍ୟପ୍ରମାଣ ସହ ଦାବି କରାଯାଇଛି।

ଗଣମାଧ୍ୟମ ପ୍ରତିନିଧିଙ୍କ ଅନୁସନ୍ଧାନ ଅନୁସାରେ ଗତକାଲି ସହରର ତିନୋଟି ଶ୍ମଶାନରେ ମୋଟ ୧୫୫ ଶବସତ୍କାର କରାଯାଇଛି। ସୁଭାଷ ନଗର ବିଶ୍ରାମ ଘାଟରେ ୫୦ ଶବ ଦାହ କରାଯାଇଥିବା ବେଳେ ୩୦ ଜଣଙ୍କ ଶବ କୋଭିଡ୍‌ ନିୟମାନୁସାରେ ଦାହ ହୋଇଛି। ଭଦଭଦା ବିଶ୍ରାମଘାଟରେ ୮୮ ଶବ ଦାହ ହୋଇଥିବା ବେଳେ ସର୍ବାଧିକ ୭୨ ଜଣଙ୍କର ଶବକୁ କୋଭିଡ୍‌ କଟକଣାରେ କରାଯାଇଛି। ଅନୁରୂପ ଭାବେ ଝଦା କବରିସ୍ତାନରେ ୧୭ ଶବ ପହଞ୍ଚିଥିବା ବେଳେ ୧୦ ଶବକୁ କରୋନା କଟକଣା ମଧ୍ୟରେ କବର ଦିଆଯାଇଛି।

ଭୋପାଳରେ ଗତକାଲି ମୋଟ ୧୫୫ ଶବ ମଧ୍ୟରୁ ୧୧୨ ଶବ କରୋନା ଜନିତ ମୃତକଙ୍କର ବୋଲି ଭାସ୍କର ଦାବି କରିଛି। ତେବେ ସହର କର୍ତୃପକ୍ଷ ଏ ସଂଖ୍ୟାକୁ ମାତ୍ର ୪ ଭିତରେ ସୀମିତ ରଖିଛନ୍ତି। ମଧ୍ୟପ୍ରଦେଶ ସରକାର କୋଭିଡ୍‌ ମୃତକଙ୍କ ସଂଖ୍ୟା ଲୁଚାଉଛନ୍ତି ବୋଲି ଘବରକାଗଜରେ ଯୁକ୍ତି ଦର୍ଶାଯାଇଛି। ପୂର୍ବରୁ ଗୁଜରାଟର ସୁରତରୁ ମଧ୍ୟ ଅନୁରୂପ ଅଭିଯୋଗ ଆସିଥିଲା।

Leave A Reply

Your email address will not be published.