ଭୁବନେଶ୍ୱରରେ ଲାଗୁ ହୋଇପାରେ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ରାଜଧାନୀରେ ଅଣାୟତ୍ତ ସ୍ଥିତି ସୃଷ୍ଟି କଲାଣି କରୋନା। ଏପ୍ରିଲରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଲାଗୁ ହୋଇପାରେ କଣ୍ଟେନମେଣ୍ଟ ଜୋନ୍।
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୦୪୪ ଜଣ ଆକ୍ରାନ୍ତ ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳର ତାଲିକା ପ୍ରସ୍ତୁତ କରିଛି ବିଏମସି। ଅଧିକ ସ୍କ୍ୱାଡ ଗଠନ ସହ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ। ଏନେଇ ବିଏମସି ଡେପୁଟି କମିଶନର ତଥା ନୋଡାଲ ଅଫିସର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।
ସେହିଭଳି ସଂକ୍ରମଣ ବଢୁଥିବାରୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ତ୍ୱରାନ୍ୱିତ କରାଯାଇଛି। ଟେଷ୍ଟିଂ ବୃଦ୍ଧି ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା କହିଛନ୍ତି ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ। ସଟଡାଉନ କଥା ମଧ୍ୟ ଆଲୋଚନା ହେଉଛି। କିଛି ନିଷ୍ପତ୍ତି ହୋଇନି ତଥାପି କଣ୍ଟେନମେଣ୍ଟ ଜୋନ୍ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ହେବ।
ଏଥିସହ ସପ୍ତାହନ୍ତ ସଟଡାଉନ ପୂର୍ବଦିନ ଓ ପରଦିନ ଅର୍ଥାତ ଶୁକ୍ରବାର ଓ ସୋମବାର ଲୋକେ କଟକଣା ଖିଲାପ କରୁଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମସି ଅତିରିକ୍ତ କମିଶନର କହିଛନ୍ତି।