Odisha Link
Bridging the Missing Links in Odisha

ରାଜ୍ୟରେ ଅଣାୟତ୍ତ କରୋନା: ଦିନକରେ ୮୨୧୬ ପଜିଟିଭ ଚିହ୍ନଟ, ୧୫ ମୃତ

ରାଜ୍ୟରେ ୨୪ ଘଣ୍ଟାରେ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୦୮୮କୁ ବୃଦ୍ଧି ପାଇଛି।

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୨୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୭୯,୭୫୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪,୬୮୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩,୫୩୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଅନ୍ୟପଟେ ରାଜ୍ୟରେ ୨୪ ଘଣ୍ଟାରେ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୦୮୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ହୋଇଥିବା ବେଳେ ରାୟଗଡ଼ାରୁ ୩ ଜଣ। ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ, କଟକ, ପୁରୀ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ୩୯୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ବାଲେଶ୍ୱରରୁ ୩୦୨, ବରଗଡରୁ ୩୭୫, ଭଦ୍ରକରୁ ୬୩, ବଲାଙ୍ଗୀରରୁ ୩୦୫, ବୌଦ୍ଧରୁ ୯୮, କଟକରୁ ୪୪୭, ଦେବଗଡରୁ ୯୮, ଢେଙ୍କାନାଳରୁ ୪୭, ଗଜପତିରୁ ୧୨୧, ଗଞ୍ଜାମରୁ ୬୯, ଜଗତସିଂପୁରରୁ ୧୦୬, ଯାଜପୁରରୁ ୩୪୭, ଝାରସୁଗୁଡାରୁ ୩୧୬, କଳାହାଣ୍ଡିରୁ ୨୩୮, କନ୍ଧମାଳରୁ ୭୭, କେନ୍ଦ୍ରାପଡାରୁ ୮୭, କେନ୍ଦୁଝରରୁ ୧୨୯, ଖୋର୍ଧାରୁ ୧୨୭୧, କୋରାପୁଟରୁ ୧୩୩, ମାଲକାନଗିରିରୁ ୩୨, ମୟୂରଭ଼ଞ୍ଜରୁ ୧୯୦, ନବରଙ୍ଗପୁରରୁ ୩୧୯, ନୟାଗଡରୁ ୨୫୦, ନୂଆପଡାରୁ ୨୬୧, ପୁରୀରୁ ୪୦୨, ରାୟଗଡାରୁ ୨୩୨, ସମ୍ବଲପୁରରୁ ୩୮୫, ସୋନପୁରରୁ ୨୪୮, ସୁନ୍ଦରଗଡରୁ ୬୩୬ ଜଣ ଆକ୍ରାନ୍ତ ରହିଛନ୍ତି ।

ସୂଚନାଥାଉକି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪,୭୯,୭୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୧,୮୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩,୯୭,୫୭୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.