Odisha Link
Bridging the Missing Links in Odisha

ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, ଆଇସିୟୁରେ ଭର୍ତ୍ତି

ଯୋଧପୁର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି

ଯୋଧପୁର: ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ଆଶାରାମ ବାପୁ କରୋନା ସଂକ୍ରମିତ ହେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି। ଏବେ ସେ ରାଜସ୍ଥାନର ଯୋଧପୁର ସହରରେ ଥିବା ମହାତ୍ମାଗାନ୍ଧୀ ହସ୍ପିଟାଲର ଆଇସିୟୁରେ ଅଛନ୍ତି। ଏବେ ଆଶାରାମଙ୍କୁ ଯୋଧପୁର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଚାଲିଛି।

ତିନି ଦିନ ପୂର୍ବରୁ ଆଶା ରାମଙ୍କର କରୋନା ପରୀକ୍ଷା କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ୍ ହୋଇଥିଲା। ୮୦ ବର୍ଷୀୟ ଆଶାରାମ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ ଏବଂ ତାଙ୍କର ଅକ୍ସିଜେନ ସ୍ତର ବହୁତ କମ୍ ଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଲା ପ୍ରଶାସନ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ସେ ଯେଉଁ ଜେଲରେ ଥିଲେ ସେଠାରେ ଥିବା ଅନ୍ୟ ୧୨ ଜଣ ଅନ୍ତେବାସୀ ମଧ୍ୟ କୋଭିଡ ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

ଜଣେ ୧୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ଆଶାରାମ। ଆଶାରାମଙ୍କୁ ଏସସି / ଏସଟି କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ରେ ନାବାଳିକା ଜଣକ ଯୋଧପୁର ସ୍ଥିତ ଆଶାରାମଙ୍କ ଆଶ୍ରମରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଏହାପରେ ଆଶାରାମଙ୍କୁ ୨୦୧୪ ମସିହାରେ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.