Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ: ୧୪୨ ବିଧାୟକଙ୍କର ରହିଛି ଆପରାଧିକ ଅତୀତ

ବିଜେପିର ୭୭ ବିଜୟୀ ବିଧାୟକଙ୍କ ମଧ୍ୟରୁ ୫୦ ଜଣଙ୍କ ନାମରେ ବିଭିନ୍ନ ମାମଲା ଥିବା ବେଳେ ୩୯ ଜଣଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି। ସେହିପରି ଟିଏମ୍‌ସିର ୨୧୩ ବିଜୟୀ ସଦସ୍ୟଙ୍କ ମଧ୍ୟରୁ ୯୧ ଜଣଙ୍କ ନାମରେ ବିଭିନ୍ନ ମାମଲା ରହିଥିବା ବେଳେ ୭୩ ଜଣଙ୍କ ନାମରେ ସଂଗୀନ ଅପରାଧ ଅଛି।

କୋଲକାତା: ଏବେ ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିବା ୨୯୨ ବିଧାୟକଙ୍କ ମଧ୍ୟରୁ ୧୧୩ ଜଣଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି ବୋଲି ସେମାନେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ବିଜେପିର ଅଧା ବିଧାୟକଙ୍କ ନାମରେ ମାମଲା ଥିବା ବେଳେ ଟିଏମ୍‌ସିର ଏକ ତୃତୀୟାଂଶ ବିଧାୟକଙ୍କ ନାମରେ ସଙ୍ଗୀନ ମାମଲା ରହିଛି।

ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍) ପକ୍ଷରୁ ଆହୁତ ତଥ୍ୟ ଅନୁସାରେ ୧୪୨ ଜଣଙ୍କ ନାମରେ ମାମଲା ଥିବା ବେଳେ ୧୧୩ ବିଧାୟକଙ୍କ ନାମରେ ଗୁରୁତର ମାମଲା ରହିଛି। ବିଜେପିର ୭୭ ବିଜୟୀ ବିଧାୟକଙ୍କ ମଧ୍ୟରୁ ୫୦ ଜଣଙ୍କ ନାମରେ ବିଭିନ୍ନ ମାମଲା ଥିବା ବେଳେ ୩୯ ଜଣଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି। ସେହିପରି ଟିଏମ୍‌ସିର ୨୧୩ ବିଜୟୀ ସଦସ୍ୟଙ୍କ ମଧ୍ୟରୁ ୯୧ ଜଣଙ୍କ ନାମରେ ବିଭିନ୍ନ ମାମଲା ରହିଥିବା ବେଳେ ୭୩ ଜଣଙ୍କ ନାମରେ ସଂଗୀନ ଅପରାଧର ଅଭିଯୋଗ ଥିବା ଏଡିଆର୍‌ ରିପୋର୍ଟରେ ଉଲ୍ଲେଖ ଅଛି। ଜଣେ ସ୍ବାଧୀନ ବିଧାୟକଙ୍କ ନାମରେ ମଧ୍ୟ ସଂଗୀନ ଆପରାଧିକ ମାମଲା ରହିଛି।

ଗୁରୁତର ମାମଲା ମଧ୍ୟରେ ୧୦ ଜଣ ବିଧାୟକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଥିବା ବେଳେ ୩୦ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ରହିଛି। ଅନ୍ୟମାନଙ୍କ ବିରୋଧରେ ଧର୍ଷଣ, ମହିଳାଙ୍କ ବିରୋଧରେ ଅପରାଧ ଓ ହରଣ (କିଡ୍‌ନାପ୍) ଭଳି ଗୁରୁତର ଅପରାଧ ରହିଛି।

ପଶ୍ଚିମବଙ୍ଗର ମୋଟ ୨୯୨ ବିଧାୟକଙ୍କ ମଧ୍ୟରୁ ୧୫୮ ଜଣ କୋଟିପତି। କୋଟିପତି ତାଲିକାରେ ୧୩୨ ଜଣ ଟିଏମ୍‌ସି ବିଧାୟକ, ୨୫ ଜଣ ପିଜେପି ବିଧାୟକ ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାରେ ୧୦୭ ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ୮ମରୁ ଦ୍ବାଦଶ ଭିତରେ ଥିବା ବେଳେ ୧୮୦ ଜଣ ସ୍ନାତକ ଉତ୍ତୀଣ୍ଣ ହୋଇଛନ୍ତି। ଜଣେ କେବଳ ମାତ୍ର ସାକ୍ଷର ବୋଲି ନିଜକୁ ଦର୍ଶାଇଥିବା ବେଳେ ଆଉ ଜଣେ ସମ୍ପୂର୍ଣ ନିରକ୍ଷର।

Leave A Reply

Your email address will not be published.