Odisha Link
Bridging the Missing Links in Odisha

କିସାନ୍‌ ସୋସିଆଲ୍‌ ଆର୍ମୀର ୪ କର୍ମୀଙ୍କ ନାମରେ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀର ଟିକ୍ରୀ ସୀମାରେ ଚାଲିଥିବା କୃଷି ଆନ୍ଦୋଳନ ସମର୍ଥନରେ ଯାଇଥିବା ଜଣେ ମହିଳା କର୍ମୀଙ୍କୁ ବାଟରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ଯୁବତୀ ପରେ କୋଭିଡ୍‌ ଆକ୍ରାନ୍ତ ହୋି ମୃତ୍ୟୁବରଣ କରିଛନ୍ତି। ‘କିସାନ୍‌ ସୋସିଆଲ୍‌ ଆର୍ମୀ’ର ୪ ଜଣ ସଦସ୍ୟଙ୍କ ନାମରେ ମୃତ ଯୁବତୀଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି।

ଘଟଣା ମାସେ ତଳେ ଘଟିଥିଲେ ହେଁ ଝିଅର ମୃତ୍ୟୁ ପରେ ଏବେ ତାଙ୍କ ବାପା ଏ ନେଇ ମାମଲା କରିଛନ୍ତି। କିସାନ୍‌ ସୋସିଆଲ୍‌ ଆର୍ମୀର ପରିଚାଳକ ଅନୂପ ମଲ୍ଲିକ ଓ ଅନୀଲ ମଲ୍ଲିକଙ୍କ ସମେତ ୪ ଜଣଙ୍କ ନାମରେ ମୃତ ଯୁବତୀଙ୍କ ବାପା ଏଫ୍‌ଆଇଆର୍‌ କରିଛନ୍ତି। ଏହି ଚାରଜଣଙ୍କ ସହ ଯୁବତୀ ଜଣଙ୍କ କୋଲକାତାରୁ ଦିଲ୍ଲୀ ଆସିଥିଲେ ଓ ଗତ ମାସରେ (ଏପ୍ରିଲ ୧୧) ଟିକ୍ରୀ ସୀମାନ୍ତରେ କୃଷି ଆନ୍ଦୋଳନରେ ଭାଗ ନେଇଥିଲେ।

କୃଷି ଆନ୍ଦୋଳନରେ ଯୋଗଦେବାର କିଛିଦିନ ପରେ ଯୁବତୀଙ୍କ ଶରୀର ଅସୁସ୍ଥ ହୋଇଥିଲା ଓ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ କୋଭିଡ୍‌ ପଜିଟିଭ୍‌ ବୋଲି ଜଣାପଡ଼ିଥିଲା ଓ ଦିଲ୍ଲୀର ଶିବମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏପ୍ରିଲ ୩୦ ତାରିଖରେ ସେହି ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗର ଏହି ୨୬ ବର୍ଷୀୟ ଯୁବତୀ।

ଏ ନେଇ ଯୁବତୀଙ୍କ ପିତା ହରିୟାନାର ବାହାଦୁରଗଡ଼ ଥାନାରେ ମାମଲା କରିଛନ୍ତି। ହରିୟାଣା ପୁଲିସ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରି ମାମଲାର ତଦନ୍ତ ଆରମ୍ଭ କରିଛି।

କୃଷି ଆନ୍ଦୋଳନ ଆବାହନ କରୁଥିବା ସଂଯୁକ୍ତ କିସାନ୍‌ ମୋର୍ଚ୍ଚା ଏ ନେଇ ବିବୃତି ଜାରି କରିଛି। ମହିଳାଙ୍କ ସମ୍ମାନ ନେଇ ମୋର୍ଚ୍ଚା ସବୁବେଳେ ଯତ୍ନବାନ ବୋଲି କହିଛି। ବିବୃତିରେ ଦର୍ଶାଯାଇଛି ଯେ କୃଷି ଆନ୍ଦୋଳନକୁ ଆସିବା ବାଟରେ କିସାନ୍‌ ସୋସିଆଲ୍‌ ଆର୍ମୀର କର୍ମୀ ଯୁବତୀଙ୍କୁ ଅସଦାଚରଣ କରିଛନ୍ତି। ଏ ବାବଦରେ ଜାଣିବା ପରେ କିସାନ୍‌ ସୋସିଆଲ୍‌ ଆର୍ମୀକୁ ଆନ୍ଦୋଳନର ବିଦା କରାଯିବା ସହ ସେମାନଙ୍କ ଟେଣ୍ଟ ହଟାଇଦିଆଯାଇଛି ବୋଲି ମୋର୍ଚ୍ଚା ଜଣାଇଛି। ତଥାକଥିତ କିସାନ୍‌ ସୋସିଆଲ୍‌ ଆର୍ମୀର ସଦସ୍ୟଙ୍କୁ କୌଣସି ବି କୃଷି ଆନ୍ଦୋଳନ ଜନିତ କାର୍ଯ୍ୟକ୍ରମରୁ ବିରତ କରାଯାଇଥିବା ବେଳେ ସେମାନଙ୍କ ସର୍ବସାଧାରରରେ ବିରୋଧ କରିବାକୁ ମୋର୍ଚ୍ଚା ଅନୁରୋଧ କରିଛି।

ସୂଚନାଯୋଗ୍ୟ ଦୁଇମାସ ତଳେ (ମାର୍ଚ୍ଚ ୨୦୨୧) କୃଷି ଆନ୍ଦୋଳନ ସ୍ଥଳରେ ସ୍ଥାୟୀ ଗୃହ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲା କିସାନ୍‌ ସୋସିଆଲ୍‌ ଆର୍ମୀ। ଆନ୍ଦୋଳନରତ ଚାଷୀଙ୍କ ପାଇଁ ୧୦୦୦ରୁ ଅଧିକ ସ୍ଥାୟୀ ଘର ନିର୍ମାଣ କରିବେ ବୋଲି ସେତେବେଳେ ଆର୍ମୀର ନେତା ଅନୀଲ ମଲ୍ଲିକ ଗଣମାଧ୍ୟମକୁ କହିଥିଲେ। ଏବେ ଧର୍ଷଣ ମାମଲାରେ ଅଭିଯୁକ୍ତ ୪ ଜଣଙ୍କ ମଧ୍ୟରେ ଅନୀଲ ମଲ୍ଲିକଙ୍କ ନାମ ରହିଛି।