ହୋମ ନିଆଁ ଜଳିବା ପୂର୍ବରୁ ଜଳିଲା ଚିତା, କୋଭିଡ ଡ୍ୟୁଟିରୁ ଫେରିଲା ବରର ମୃତଦେହ
କୋଭିଡ ଡ୍ୟୁଟିରେ ନିୟୋଜିତ ଥିଲେ ଶିକ୍ଷକ
ଝାରୁସୁଗଡା: ନିଷ୍ଠୁର ସାଜିଲା ଭାଗ୍ୟ। ରାତି ପାହିଲେ ହୋଇଥାନ୍ତା ବାହାଘର। ମାତ୍ର ଘରକୁ ଫେରିଲା ପୁଅର ମୃତଦେହ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଝାରୁସୁଗଡା ଜିଲ୍ଲା ୧୯ ଖଣ୍ଡ ମୌଜାର କଣ୍ଢେଇକେଲା ଗାଁରେ।
ଶନିବାର ଦିନ ବାହାଘର ହେବାର ଥିବା ବେଳେ କରୋନାର ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଶିକ୍ଷକ ନେପାଳ ପ୍ରଧାନ। ସରକାରଙ୍କ ପକ୍ଷରୁ କୋଭିଡ ମୁକାବିଲା ପାଇଁ ଶିକ୍ଷକଙ୍କୁ ଦିଆଯାଇଥିବା ବିଭିନ୍ନ କାମରେ ନେପାଳ ନିୟୋଜିତ ଥିଲେ।
ଗତକାଲି ନେପାଳଙ୍କ ବାହାଘର ଥିଲା। କିନ୍ତୁ ଚାରିଦିନ ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କର ଆଂଟିଜେନ ଟେଷ୍ଟ କରାଯାଇଥିଲା। ମାତ୍ର ରିପୋର୍ଟ ନେଗେଟିଭ ଆସିଥିଲ।। ହେଲେ ଶୁକ୍ରବାର ସନ୍ଧ୍ୟାରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ତାଙ୍କୁ ବୁର୍ଲା ଓ ପରେ ଘରୋଇ ହସପିଟାଲକୁ ନିଆଯାଇଥିଲା। ସେଠାରେ ମଲଟିଅର୍ଗାନ ଡ୍ୟାମେଜ ଯୋଗୁଁ ସେ ପ୍ରାଣ ହରାଇଥିଲେ। ବାହାଘର ଦିନ ହିଁ ମୃତଦେହ ଘରକୁ ଫେରିଲା।