Odisha Link
Bridging the Missing Links in Odisha

ସୋନୁ ସୁଦ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟ୍ଵିଟର ଓ୍ଵାର୍‌, ପରେ ସୋନୁଙ୍କୁ କଲେ ପ୍ରଶଂସା

ପ୍ରମାଣ ଦେବା ପରେ ୟୁଟର୍ଣ୍ଣ ମାରି ସୋନୁ ସୁଦଙ୍କ ପ୍ରଶଂସା କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ବଲିଉଡ ଅଭିନେତା ତଥା ରିଅଲ ହିରୋ ସୋନୁ ସୁଦ ଅସହାୟ ଲୋକଙ୍କ ପାଇଁ ପାଲଟି ଯାଇଛନ୍ତି ଭଗବାନ। ତାଙ୍କର ନିଆରା ସାହାଯ୍ୟ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ସୋସିଆଲ୍‌ ମିଡିଆରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସହାୟତା ପହଞ୍ଚାଉଛନ୍ତି। କାହା ପାଇଁ ଅକ୍ସିଜେନ୍ ତ କାହା ପାଇଁ ଶଯ୍ୟାର ବନ୍ଦୋବସ୍ତ କରାଉଛନ୍ତି।

ମାତ୍ର ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଜଣେ ସଂକ୍ରମିତଙ୍କୁ ସାହାଯ୍ୟ କରିବା ନେଇ ଅଭିନେତା ସୋନୁ ସୁଦ୍ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟରେ ଟ୍ଵିଟ୍‌ ଜରିଆରେ ବାକ୍‌ଯୁଦ୍ଧ ହୋଇଛି। ପ୍ରଥମେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋନୁ ସୁଦଙ୍କ ସାହାଯ୍ୟଙ୍କୁ ଖଣ୍ଡନ କରିଥିବା ବେଳେ ଅଭିନେତାଙ୍କ ଦ୍ଵାରା ପ୍ରମାଣ ଦେବା ପରେ ୟୁଟର୍ଣ୍ଣ ମାରି ସୋନୁ ସୁଦଙ୍କ ପ୍ରଶଂସା କରିଛନ୍ତି।

ସୂଚନା ମୁତାବକ, ପ୍ରଦୀପ ବେହେରା ନାମକ ଜଣେ ଯୁବକ ସୋନୁ ସୁଦ୍‌ଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ ଯେ, ତାଙ୍କ ସ୍ତ୍ରୀ କରୋନା ଆକ୍ରାନ୍ତ। ସେ ବହୁ ଚେଷ୍ଟା କରିବା ପରେ ବି ତାଙ୍କୁ କୋଭିଡ୍‌ ଚିକିତ୍ସା ପାଇଁ କୌଣସି ହସ୍‌ପିଟାଲ୍‌ରେ ଶଯ୍ୟା ମିଳୁନି। ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ। ଟ୍ୱିଟ୍‌ କରିବାର କିଛି ସମୟ ପରେ ସୋନୁ ସୁଦ୍‌ ନିଜ ଟ୍ୱିଟ୍‌ ଆକାଉଣ୍ଟ୍‌ରେ ଲେଖିଥିଲେ ଯେ, ‘ଚିନ୍ତା କରନ୍ତୁ ନାହିଁ, ବ୍ରହ୍ମପୁର ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଶଯ୍ୟାର ବନ୍ଦୋବସ୍ତ ହୋଇ ସାରିଛି।

ମାତ୍ର ଗଞ୍ଜାମ ଜିଲ୍ଲାପାଳ ସଂକ୍ରମିତଙ୍କ ପାଇଁ ସିଟି ହସ୍ପିଟାଲରେ ଶଯ୍ୟାର ବନ୍ଦୋବସ୍ତ କରାଇ ଦେଇଥିବା ଅଭିନେତାଙ୍କ ଦାବିକୁ ଖଣ୍ଡନ କରିଥିଲେ। ଜିଲ୍ଲାପାଳ ସୋନୁ ସୁଦଙ୍କ ଟ୍ଵିଟ୍‌ର ସ୍କ୍ରିନସଟ୍ ସେୟାର କରି ଲେଖିଥିଲେ ଯେ, ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁ ସୁଦଙ୍କଠୁ କୌଣସି ଯୋଗାଯୋଗ ପାଇନାହୁଁ କି ତାଙ୍କ ଦ୍ଵାରା କୌଣସି ଶଯ୍ୟାର ବନ୍ଦୋବସ୍ତ ହୋଇ ନାହିଁ। ଯେଉଁ ବ୍ୟକ୍ତି ଶଯ୍ୟା ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି। ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ। ବ୍ରହ୍ମପୁରରେ କରୋନାର ମୁକାବିଲା ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଏହାର ତଦାରଖ କରୁଛନ୍ତି।

ଏହା ପରେ ସୋନୁ ସୁଦ ଟ୍ଵିଟ୍ କରି ଜିଲ୍ଲାପାଳଙ୍କୁ ଉତ୍ତର ଦେଇଛନ୍ତି ଯେ, ମହୋଦୟ ଆମେ କେବେ ଦାବି କରୁନାହୁଁ ଯେ, ଆମେ ଆପଣଙ୍କ ସହ ଯୋଗାଯୋଗ କରିଛୁ। ଆମେ ସେହି ବ୍ୟକ୍ତିଙ୍କୁ ଶଯ୍ୟାର ବନ୍ଦୋବସ୍ତ କରାଇଛୁ ଯିଏ କରୋନା ସଂକ୍ରମିତ ପତ୍ନୀର ସାହାଯ୍ୟ ପାଇଁ ଆମ ସହ ଯୋଗାଯୋଗ କରିଥିଲେ। ଆପଣଙ୍କ କାର୍ଯ୍ୟାଳୟ ବହୁତ ଭଲ କାମ କରୁଛି ଏବଂ ଆପଣ ଏହାର ପୁନର୍ବାର ଯାଞ୍ଚ କରି ପାରିବେ ଯେ ଆମେ ତାଙ୍କର ସାହାଯ୍ୟ କରିଥିଲୁ କି ନାହିଁ। ପ୍ରମାଣ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ଚ୍ୟାଟ୍ ମଧ୍ୟ ଟ୍ଵିଟ୍‌ରେ ପୋଷ୍ଟ କରିଛନ୍ତି ସୋନୁ।

ସୋନୁଙ୍କ ପ୍ରତିଉତ୍ତର ପରେ ଗଞ୍ଜାମ ଜିଲ୍ଲାପାଳ ୟୁଟର୍ଣ୍ଣ ମାରି ଲେଖିଛନ୍ତି ଯେ, ଆମର ଉଦ୍ଦେଶ୍ୟ ଆପଣଙ୍କ ସିଷ୍ଟମର ସମାଲୋଚନା କରିବା ନଥିଲା। ୨୪ ଘଣ୍ଟା ସାତ ଦିନ ରୋଗୀଙ୍କ ସେବା ପାଇଁ ଶଯ୍ୟା ସୁନିଶ୍ଚିତ କରିବା ପାଇଁ ଆମର ଟିମ୍ ଗଞ୍ଜାମ ରହିଛି। ତଥାପି ଶଯ୍ୟା ସଂପର୍କିତ କିଛି ସମସ୍ୟା ଅଛି କି ନାହିଁ ତାହା ଯାଞ୍ଚ କରିବା ଆମର କର୍ତ୍ତବ୍ୟ। ସୋନୁ ସୁଦଙ୍କୁ ପ୍ରଶଂସା କରି ଜିଲ୍ଲାପାଳ କହିଛନ୍ତି ଯେ, ଆପଣ ଏବଂ ଆପଣଙ୍କ ଟିମ୍ ମଧ୍ୟ ବହୁତ ଭଲ କାମ କରୁଛନ୍ତି। ଏବେ ସୋନୁ ସୁଦ ଏବଂ ଜିଲ୍ଲାପାଲଙ୍କ ମଧ୍ୟରେ ଟ୍ଵିଟ୍ ଓ୍ଵାର୍‌କୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଖୁବ୍ ଜୋର ଧରିଛି।

Leave A Reply

Your email address will not be published.