Odisha Link
Bridging the Missing Links in Odisha

ବାତ୍ୟା ‘ୟଶ’ ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ବର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟା ପୂର୍ବରୁ ଲୋକଙ୍କୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯିବ ଓ ବାତ୍ୟା ପରେ ରାସ୍ତାଘାଟ ସଫା କରି ଲୋକଙ୍କ ପାଖରେ ପିଇବା ପାଣି ଓ ରିଲିଫ ପହଁଚାଯାଇ ପାରିବ ଓ ବିଜୁଳି ସଂଯୋଗ କିପରି ପ୍ରଭାବିତ ନ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମ୍ପର୍କରେ ଅବଗତ କରାଇଛନ୍ତି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କୁହାଯାଇଛି। ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆଜି ଜିଲ୍ଲାପାଳମାନଙ୍କ ସମେତ ଜଳସମ୍ପଦ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ସମସ୍ତ ରାଜସ୍ୱ କମିଶନର, ପୁଲିସ ବିଭାଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏସଆରସି ଏନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କେଉଁ କେଉଁ ସ୍ଥାନକୁ ଫାୟାର,ଏନଡ଼ିଆରଫ, ଓଡ୍ରାଫର କେତୋଟି ଟିମ ପଠାଯିବ ତାହାର ପ୍ଲାନ ପ୍ରସ୍ତୁତ ହେଇଛି।

ବାତ୍ୟା ପରବର୍ତ୍ତୀ ସମୟରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବିଜୁଳି ସଂଯୋଗ ଲାଗି ବିଭାଗ ପକ୍ଷରୁ କେତେ ମ୍ୟାନ ପାୱାର ଓ କେତେ ଇକ୍ୟୁଇପ୍ ମେଣ୍ଟ ଲାଗିବ ତାକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶଶ ଦିଆଯାଇଛି। ବାତ୍ୟା ପରେ କିପରି ତୁରନ୍ତ ରାସ୍ତା ଘାଟ ସଫା କରାଯାଇ ଯାତାୟତ ସୁବିଧା ହୋଇ ପାରିବ ସେଥିଲାଗି ପ୍ରସ୍ତୁତ ରହିବାକୁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି ସରକାର।

ମେ’ ୨୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ହୋଇ କ୍ରମେ ଏହା ୨୩-୨୪ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ୨୫ ତାରିଖ ରାତିରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ। ତେବେ ଏହା ଭୀଷଣରୁ ଅତି ଭୀଷଣ ଆକାର ଧାରଣ କରିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ୨୬ ତାରିଖ ସଂଧ୍ୟାରେ ଓଡ଼ିଶା ଓ ପଶ୍ଚିବଙ୍ଗ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା।

ଏହି ସମୟରେ ମତ୍ସଜୀବି ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଓ ଅନ୍ୟ ମାନେ କିପରି ଭିତରକୁ ନ ଯିବେ ସେମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇବା ଉପରେ ପ୍ରଶାସନ ଗୁରୁତ୍ବ ଦେଉଛି। ବାତ୍ୟା ଆଳରେ ଯେପରି ବଜାରରେ ବ୍ଲାକ ମାର୍କେଟିଂ ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି।

Leave A Reply

Your email address will not be published.