ରାଜ୍ୟରେ କରୋନା: ଦିନକରେ ଚାଲିଗଲା ୨୬ ଜୀବନ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକରେ ରାଜ୍ୟରେ ୧୧, ୧୦୮ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରେନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ରାଜ୍ୟରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁଙ୍କ ଜୀବନ ଚାଲି ଯାଇଛି। ସେହିପରି କଳାହାଣ୍ଡିରୁ ୨, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୁବରର୍ଣ୍ଣପୁରରୁ ଜଣେ ଲେଖାଏଁ ମୃତ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୯,୫୩୦ରେ ପହଁଞ୍ଚିଛି। ସେ ମଧ୍ୟରୁ ୧,୦୯,୬୩୯ ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୫,୬୭,୩୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୧୨,୪୧,୪୦୮ ଟେଷ୍ଟ କରାଯାଇଛି। ସେହିପରି ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬ରେ ପହଁଞ୍ଚିଥିବା ବେଳେ ୫୩ ଜଣଙ୍କର ଅନାନ୍ୟ କାରଣୁ ମୃତ୍ୟୁ ହୋଇଛି।