Odisha Link
Bridging the Missing Links in Odisha

ଏଲୋପାଥି ବିରୁଦ୍ଧରେ ମନ୍ତବ୍ୟ ଦେଇ ଅଡ଼ୁଆରେ ବାବା ରାମଦେବ

ଏପିଡେମିକ୍‌ ଡିଜିଜ୍‌ ଆକ୍ଟ ଜରିଆରେ ମାମଲା ରୁଜୁ କରିବା ସହ ବାବାଙ୍କୁ ବାନ୍ଧିବାକୁ ଦାବି

ନୂଆଦିଲ୍ଲୀ: ଏଲୋପାଥି ମେଡିସିନ୍‌କୁ ନେଇ ବେପରୁଆ ମନ୍ତବ୍ୟ ଦେଇ ଅଡ଼ୁଆରେ ଯୋଗ ଗୁରୁ ରାମଦେବ। ବାବାଙ୍କ ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ)। ଏଲୋପାଥି ଔଷଧକୁ ନେଇ ଅଣବବୈଜ୍ଞାନିକ ମନ୍ତବ୍ୟ ଦେବା ସହ ମେଡିକାଲ ସାଇନ୍ସ ଉପରେ ଲୋକଙ୍କ ଭରସାକୁ ଆଘାତ ପହଞ୍ଚାଇଥିବା ନେଇ ବାବାଙ୍କ ବିରୋଧରେ ଅଭିଯୋଗ ଆଣିଛି ଆଇଏମଏ। ଏଥିସହ ଏପିଡେମିକ୍‌ ଡିଜିଜ୍‌ ଆକ୍ଟ ଜରିଆରେ ମାମଲା ରୁଜୁ କରିବା ସହ ବାବାକୁ ବାନ୍ଧିବାକୁ ଦାବି କରିଛନ୍ତି ଡାକ୍ତର।

ସୂଚନା ମୁତାବକ, ରାମଦେବ ଏକ ଭିଡିଓ ସେୟାର କରି କହିଛନ୍ତି ଏଲୋପାଥି ଷ୍ଟୁପିଡ୍‌ ଏବଂ ଦେବାଳିଆ ବିଜ୍ଞାନ। ଏହା ସହ ସେ ଆହୁରି କହିଛନ୍ତି, ଏଲୋପାଥି ମେଡିସନ୍‌ ଖାଇବା ପରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଦ୍ବାରା ସ୍ବିକୃତୀ ପାଇଥିବା ରେମଡେସିଭିର, ଫାବିଫ୍ଲୁ ସମେତ ଅନ୍ୟ ଔଷଧ କରୋନା ରୋଗୀଙ୍କ ଚିକିତ୍ସାରେ ବିଫଳ ହୋଇଛି ବୋଲି ରାମଦେବ କହିଛନ୍ତି।

ରାମଦେବଙ୍କ ଏହି ମନ୍ତବ୍ୟ ପରେ ଆଇଏମଏ କହିଛି,ରାମଦେବଙ୍କ ମନ୍ତବ୍ୟ ଶିକ୍ଷିତ ସମାଜ ପାଇଁ ବିପଦ ହୋଇଥିବା ବେଳେ ବିଶେଷ ଭାବେ ଗରିବ ଲୋକଙ୍କ ଉପରେ କୁପ୍ରଭାବ ପକାଇଛି। ‘କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଯିଏକି ଖୋଦ ଆଧୁନିକ ଚିକିତ୍ସା ଏଲୋପାଥିରେ ଡାକ୍ତର ଥିଲେ ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରମୁଖ ରହିଛନ୍ତି, ସେ ଏହି ଭଦ୍ରବ୍ୟକ୍ତିଙ୍କ ଚ୍ୟାଲେଞ୍ଜ କିମ୍ବା ଅଭିଯୋଗକୁ ସ୍ବୀକାର କରନ୍ତୁ ଏବଂ ଆଧୁନିକ ଚିକିତ୍ସା ସୁବିଧାକୁ ରଦ୍ଦ କରନ୍ତୁ କିମ୍ବା ଏଭଳି ଅଣବୈଜ୍ଞାନିକ ମନ୍ତବ୍ୟରୁ ଲୋକଙ୍କ ବଞ୍ଚାଇବା ପାଇଁ ତାଙ୍କ ବିରୋଧରେ ମକଦ୍ଦମା କରନ୍ତୁ।’

ଏହା ସହ ଆଇଏମଏ ଅଭିଯୋଗ କରିଛି, ବର୍ତ୍ତମାନ ପରିସ୍ଥିତିର ଫାଇଦା ଉଠାଇବା ସହ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ରାମଦେବ ଚେଷ୍ଟା କରୁଛନ୍ତି। ସେ ଏମିତି କରି ନିଜର ମାନ୍ୟତା ବିହୀନ ଏବଂ ବେଆଇନ୍‌ ଔଷଧ ବିକ୍ରି କରି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ବୋଲି ଆଇଏମଏ ଅଭିଯୋଗ କରିଛି।

ଯଦି ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବତଃ ମାମଲା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆମେ ଗଣତାନ୍ତ୍ରିକ ଉପାୟରେ ସତ୍ୟ ଉନ୍ମୋଚନ କରିବୁ। ଦରକାର ପଡ଼ିଲେ କୋର୍ଟ ଯିବୁ ବୋଲି ଚିକିତ୍ସକ ସଂଘ ଚେତାବନୀ ଦେଇଛି। ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରି ନିଜର ଫାଇଦା କରିବା ଦଣ୍ଡନୀୟ ଅପରାଧ।

Leave A Reply

Your email address will not be published.