Odisha Link
Bridging the Missing Links in Odisha

୬ଷ୍ଠ ବିବାହ ବେଳେ ଭଣ୍ଡ ବାବାକୁ ଗିରଫ କଲା ପୁଲିସ

କାନପୁର: ୬ଷ୍ଠ ବିବାହ ବେଳେ ବାବାକୁ ଧରିଲା ପୁଲିସ। ପୂର୍ବରୁ ୫ଥର ବିବାହ କରି ୬ଷ୍ଠ ବିବାହ କରିବାକୁ ଯାଉଥିବା ବେଳେ ଧରିଲା ପୁଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି କାନପୁରରେ। ବ୍ୟକ୍ତି ଜଣଙ୍କ ପୂର୍ବରୁ ୫ ଜଣଙ୍କୁ ବିବାହ କରି ସେମାନଙ୍କ ଠାରୁ ଆଇନଗତ ଉପାୟରେ ଅଲଗା ନ ହୋଇ ମଧ୍ୟ ୬ଷ୍ଠ ବିବାହ କରିବାକୁ ଯାଉଥିଲେ।

ଗିରଫ ବ୍ୟକ୍ତି ଜଣଙ୍କ ନାଁ ହେଉଛି ଶାହାଜାହନପୁରର ଅନୁଜ ଚେତନ କଥେରିଆ। ସେ ୬ଷ୍ଠ ବିବାହ ପାଇଁ ଯୋଜନା କରୁଥିବା ବେଳେ ତାଙ୍କୁ କିଡୱାଇ ନଗର ପୁଲିସ୍‌ ଗିରଫ କରିଛି। ଅନୁଜ ଜଣେ ଆତ୍ମଘୋଷିତ ବାବା। ତାଙ୍କର ଜଣେ ପତ୍ନୀଙ୍କ ଅଭିଯୋଗକ୍ରମେ ପୁଲିସ ଗିରଫ କରିଛି।

ସୂଚନା ମୁତାବକ, ଅନୁଜ ପ୍ରଥମଥର ପାଇଁ ୨୦୦୫ରେ ବିବାହ କରିଥିଲେ। ସେମାନଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ପଡ଼ିରହିଛି। ଏହା ସତ୍ତ୍ୱେ ସେ ୨୦୧୦ରେ ବରେଲୀରେ ଦ୍ୱିତୀୟ ବିବାହ କରିଥିଲେ। ଅନୁଜଙ୍କ ଦ୍ୱିତୀୟ ପତ୍ନୀ ମଧ୍ୟ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି।

ଏହାପରେ ଅନୁଜ ଅଉରାଇୟା ଜିଲ୍ଲାର ଜଣେ ମହିଳାଙ୍କୁ ତୃତୀୟ ବିବାହ କରିଥିଲେ। ଏହାପରେ ସେ ତୃତୀୟ ପତ୍ନୀଙ୍କ ଜଣେ ସମ୍ପର୍କୀୟ ମହିଳାଙ୍କୁ ମଧ୍ୟ ବାହା ହୋଇଥିଲେ। ତେବେ ତୃତୀୟ ପତ୍ନୀଙ୍କ ସମ୍ପର୍କୀୟ ମହିଳା ଜଣଙ୍କ ଅନୁଜ ପୂର୍ବରୁ ବିବାହିତ ବୋଲି ଜାଣିବା ପରେ ଆତ୍ମହତ୍ୟା କରିଥିଲେ।

୨୦୧୯ରେ ସେ ୫ମ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେ ୫ମ ପତ୍ନୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ। ଏଥିପାଇଁ ମହିଳା ଜଣଙ୍କ ତାଙ୍କ ନାଁରେ କେସ୍‌ ମଧ୍ୟ କରିଛନ୍ତି। ଏହା ପରେ ସେ ନିଜ ପ୍ରେମ ଜାଲରେ ଆଉ ଜଣେ ମହିଳାଙ୍କୁ ଫସାଇ ତାଙ୍କୁ ୬ଷ୍ଠ ଥର ପାଇଁ ବିବାହ କରିବାକୁ ଯାଉଥିଲେ। ହେଲେ ୫ମ ପତ୍ନୀଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି ଯେ, ବିବାହ ୱେବସାଇଟ୍‌ରେ ଅନୁଜ ନିଜକୁ ଲକି ପାଣ୍ଡେ ଭାବେ ପଞ୍ଜିକୃତ କରି ମହିଳାଙ୍କ ପାଖରେ ପହଞ୍ଚୁଥିଲା। ୱେବସାଇଟ୍‌ରୁ ମହିଳାଙ୍କ ଫୋନ ନମ୍ବର ଆଣି ସେ ସେମାନଙ୍କୁ ନିକଟରେ ଥିବା ଗୋଟିଏ ଆଶ୍ରମକୁ ଡାକୁଥିଲେ। ଏଠାରେ ସେ ତନ୍ତ୍ରମନ୍ତ୍ର କରେ। ମହିଳାମାନେ ସମସ୍ୟା ଦୂର ପାଇଁ ଆଶ୍ରମ ଆସୁଥିବା ବେଳେ ଅନୁଜ ସେମାନଙ୍କୁ ନିଜ ଜାଲରେ ଫସାଇ ଥାଏ।

ଗିରଫ ବେଳକୁ ବିବାହ ୱେବସାଇଟ ଜରିଆରେ ସେ ୩୨ ଜଣ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିଥିବା ଜଣାପଡ଼ିଛି। ବିଭିନ୍ନ ଦଫାରେ ପୁଲିସ୍‌ ତାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି।

Leave A Reply

Your email address will not be published.