Odisha Link
Bridging the Missing Links in Odisha

୫ ବର୍ଷ ହେଲା ବକେୟା ଦରମା ପାଇନଥିବାରୁ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ

ବାସୁଦେବପୁର: ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କର ଆତ୍ମହତ୍ୟା ଉଦ୍ୟମ। କାର୍ଯ୍ୟରତ ଏନ୍‌ଏମ୍‌ଆର ଦିବାକର ଦାସ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି।

ଶନିବାର ଜଳସମ୍ପଦ ବିଭାଗର ବାଲେଶ୍ୱର ନିର୍ବାହୀ ଯନ୍ତ୍ରୀ କାମ ଦେଖିବାକୁ ବାସୁଦେବପୁର କାର୍ଯ୍ୟାଳୟରେ ପହଞ୍ଚି ସାଇଡ୍ କାମ ସମ୍ପର୍କରେ ଅଲୋଚନା କରୁଥିବା ବେଳେ ଏନ୍‌ଏମ୍‌ଆର ଦିବାକର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦିବାକର ପାଞ୍ଚ ବର୍ଷ ଦରମା ପାଇନଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କହିଛନ୍ତି।

ସେ ଆହୁରି କହିଛନ୍ତି, ୧୯୮୩ ମସିହାରୁ ଚାକିରୀ କରିଥିବା ବେଳେ ୧୯୮୯ ମସିହାରେ ତାଙ୍କୁ ଚାକିରୀରୁ ଛଟେଇ କରିଦିଆଯାଇଥିଲା । ହେଲେ ଦିବାକର ଉକ୍ତ ଛଟେଇ ଘଟଣାକୁ ନେଇ କୋର୍ଟ କରିବାରୁ ପୁଣି ୨୦୧୬ ମସିହାରେ ତାଙ୍କୁ ପୁଣି ଚାକିରୀରେ ଯୋଗଦେବାକୁ କୋର୍ଟ ନିର୍ଦ୍ଦେଶ କ୍ରମେ ନିଯୁକ୍ତି ଦିଆଯାଇଥିଲା।

ବିଭାଗ ପକ୍ଷରୁ ତାଙ୍କୁ ଦରମା ନମିଳିବାରୁ ଦିବାକର ୨୦୧୮ ମସିହାରେ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବାରୁ ଉଚ୍ଚ ପଦସ୍ତ ଅଧିକାରୀ ଦରମା ମିଳିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଅନଶନରୁ ଉଠାଇ ଦେଇଥିଲେ। ତାଙ୍କ ସହିତ ଅନ୍ୟ ଦୁଇ କର୍ମଚାରୀ ଅବସର ନେଲେଣି। ଚାକିରିର ସ୍ଥାୟୀତ୍ୱ ଓ ୫ ବର୍ଷର ଦରମା ପ୍ରଦାନ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଅଧିକାରୀ କୌଣସି କଥା ନଶୁଣିବାରୁ ବାଧ୍ୟ ହୋଇ ଆତ୍ମହତ୍ୟାର ଧମକ ଦେଇଥିଲେ। ଅପରପକ୍ଷରେ ନିର୍ବାହୀ ଯନ୍ତ୍ରୀ ଜଣଙ୍କ ତାଙ୍କ ଫାଇଲ୍ ପଠାଯାଇଥିବା କହିଛନ୍ତି।

Leave A Reply

Your email address will not be published.