Odisha Link
Bridging the Missing Links in Odisha

ମୋର କୌଣସି କଥାରେ ଅବସୋସ ନାହିଁ, ଏମିତି କାହିଁକି କହିଲେ ସିଏମ୍‌ ଯୋଗୀ ?

ନୂଆଦିଲ୍ଲୀ: ୨୦୨୨ରେ ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ରାଜ୍ୟ ରାଜନୀତିଠୁ ଆରମ୍ଭ କରି ଜାତୀୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ସବୁଠୁ ଚର୍ଚ୍ଚାରେ ଅଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭାରତୀୟ ଜନତା ପାର୍ଟି ଯୋଗୀଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛି। ଏସବୁ ମଧ୍ୟରେ ଯୋଗୀ ଆଦିତ୍ୟନାଥ ଏକ ସାକ୍ଷାତକାରରେ ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ନେଇ ଦେଇଛନ୍ତି ବଡ଼ ବୟାନ୍।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶ୍ନ କରାଯାଇଥିଲା ଯେ, ଆପଣଙ୍କର କିଛି ଅବଶୋଷ ରହିଛି କି? ଯାହାର ଉତ୍ତରରେ ଯୋଗୀ କହିଥିଲେ ଯେ, ଆମେ କେବେ ଅବଶୋଷ କରୁନୁ। କିଛି କାର୍ଯ୍ୟ କରିବା ପୂର୍ବରୁ ବିଚାର ବିମର୍ଶ କରି ପଦକ୍ଷେପ ନେଇଥାଉ। ଅବଶୋଷ ଥିଲେ କ’ଣ ସନ୍ୟାସୀ ହୋଇଥାନ୍ତି ବୋଲି ଯୋଗୀ କହିଛନ୍ତି।

ଯୋଗୀ ଆହୁରି କହିଛନ୍ତି ଯେ, ଉତ୍ତର ପ୍ରଦେଶ ହେଉଛି ଦେଶର ହୃଦୟ ସ୍ଥାନ। ୟୁପିର ବିକାଶ ହିଁ ଦେଶର ବିକାଶ ସହ ଯୋଡ଼ି ହୋଇଛି। ଲୋକଙ୍କ ସୁରକ୍ଷା ଓ ସମୃଦ୍ଧି ଉପରେ ଆମର ନଜର ସର୍ବଦା ରହିଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଅପରପକ୍ଷେ ବିଦୁର, ଚାଣକ୍ୟ ଓ ଅମିତ ଶାହଙ୍କ ମଧ୍ୟରୁ କିଏ ସବୁଠୁ ଭଲ ରଣନୀତିକାର ବୋଲି ଯୋଗୀଙ୍କୁ ପ୍ରଶ୍ନ କରାଯାଇଥିଲା। ଯୋଗୀ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ଏହି ତିନି ଜଣ ନିଜ ନିଜ ସମୟର ଶ୍ରେଷ୍ଠ ରଣନୀତିକାର। ମହାଭାରତ ସମୟରେ ବିଦୁର, ତାଙ୍କ ପରେ ଚାଣକ୍ୟଙ୍କ ଆବଶକତା ଥିଲା ଆଉ ଏବେ ଅମିତ ଶାହା ଜଣେ ଭଲ ରଣନୀତିକାର ବୋଲି ଯୋଗୀ କହିଛନ୍ତି।

Leave A Reply

Your email address will not be published.