Odisha Link
Bridging the Missing Links in Odisha

ଭୁବନେଶ୍ବର ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି, କିଏ ସେ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଏବେ ସମସ୍ତଙ୍କ ନଜର ପୌର ନିର୍ବାଚନ ଉପରେ। ଏଥଥିପାଇଁ ରାଜ୍ୟର ୩ ପ୍ରମୁଖ ଦଳ ଆପଣେଇଛନ୍ତି ଭିନ୍ନ ଭିନ୍ନ ରଣନୀତି। ଏସବୁ ମଧ୍ୟରେ ଆଜି ବିଜୁ ଜନତା ଦଳ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ପକ୍ଷରୁ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଡ. ସୁନୀତି ମୁଣ୍ଡଙ୍କୁ ଦଳ ଭୁବନେଶ୍ୱରର ମେୟର ପ୍ରାର୍ଥୀ କରିଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାଁ ଘୋଷଣା କରିଛନ୍ତି।

ଶ୍ରୀମତୀ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦଳ ଜଣେ ନୂଆ ଚେହେରାଙ୍କୁ ମେୟର ପ୍ରାର୍ଥୀକରିବାକ ଚାହୁଁଥିଲା। ଡ. ସୁନୀତି ମୁଣ୍ଡ୍ ସାହିତ୍ୟ କ୍ଷେତ୍ରରୁ ଆସିଛନ୍ତି। ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ଏମ୍‌ଏ କରିଛନ୍ତି। ସେ ଆଇଆଇଏମ୍‌ସିରୁ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଛନ୍ତି।

ସେ ସାମ୍ବାଦିକତା କ୍ଷେତ୍ରରେ କାମ କରିଛନ୍ତି। ସେ ପାଖାପାଖି ୨୮ଟି ବହି ଲେଖିଛନ୍ତି। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ସେ ପ୍ରବୀଣ। ତାଙ୍କର ‘ଦକ୍ଷ’ ନାଁରେ ଏକ ୱେଲ୍‌ଫେୟାର ଟ୍ରଷ୍ଟ ରହିଛି। ଏହା ମାଧ୍ୟମରେ ସେ ଲୋକସେବା କରି ଆସୁଛନ୍ତି। ସେ ୨୦ ବର୍ଷ ହେଲାଣି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରହିଆସୁଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି।

ଅପରପକ୍ଷେ ବିଜେପିର ମେୟର ପ୍ରାର୍ଥୀ ହେବା ପରେ ଡ. ସୁନୀତି ମୁଣ୍ଡ ଦଳର ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି ତାକୁ ସେ ସଫଳ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବିଜେଡି ସୁଲୋଚନା ଦାସଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି। ଭୁବନେଶ୍ୱର ମେୟର ପଦ ପାଇଁ ସୁଲୋଚନା, ମଧୁସ୍ମିତା ଓ ସୁନୀତିଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

Leave A Reply

Your email address will not be published.