Odisha Link
Bridging the Missing Links in Odisha

ଦଳ ଜିତିଲା, ହାରିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସାମ୍ନାକୁ ଆସିଲା ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳ। ଉତ୍ତରାଖଣ୍ଡରେ ପୁଣିଥରେ ସରକାର ଗଠନ ପାଇଁ ଭାରତୀୟ ଜନତା ପାର୍ଟି ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିଛି। ଯାହାଫଳରେ ଉତ୍ତରାଖଣ୍ଡରେ ବିଜେପି ସରକାର ଗଠନ କରିବାୁ ଏକରକମ ସ୍ପଷ୍ଟ ହୋଇଛି। ହେଲେ ସବୁଠାରୁ ବଡ଼ କଥା ହେଲା ବିଜେପି ସରକାର ଗଠନ କରିବାକୁ ଯାଉଥିଲେ ହେଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାସ୍ତ ହୋଇଛନ୍ତି।

ଧାମି ପରାସ୍ତ ହେବା ରାଜ୍ୟ ତଥା କେନ୍ଦ୍ରୀୟ ବିଜେପି ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ଏବେ ଉତ୍ତରାଖଣ୍ଡରେ କିଏ ବିଜେପିର ମୁଖ୍ୟମନ୍ତ୍ରୀ ହେବେ, ସେନେଇ ଟେନସନ ବଢ଼ିଛି। ନିର୍ବାଚନର ଠିକ୍‌ ପୂର୍ବରୁ ବିଜେପି ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା।

ଉତ୍ତରାଖଣ୍ଡର ୭୦ଟି ଆସନରୁ ବିଜେପି ୩୯ଟିରେ ଜିତି ସାରିଛି। ସେହିପରି ବାକି ୯ଟି ଆସନରେ ଲିଡ୍‌ କରୁଛି। ଲିଡର ମାତ୍ରା ଏତେ ଅଧିକ ଅଛି ଯେ ଏହି ୯ଟି ଯାକ ଆସନରେ ମଧ୍ୟ ବିଜେପି ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

୨୦୧୭ରେ ଦଳ ଏଠାରେ ୫୭ଟି ଆସନ ଜିତିଥିଲା। ବିଜେପିର ଆସନ ସଂଖ୍ୟା କମିଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୬କୁ ବେଶ ସହଜରେ ହାସଲ କରିନେଇଛି।କଂଗ୍ରେସ ୧୫ଟି ଆସନ ଜିତିଥିବା ବେଳେ ଆଉ ୩ଟିରେ ଆଗରେ ରହିଛି। ଆପ ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇନି। ସେହିପରି ଅନ୍ୟାନ୍ୟ ଦଳ ୪ଟି ଆସନରେ ବାଜିମାତ କରିଛନ୍ତି। ଆପ୍‌ ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଉତ୍ତରାଖଣ୍ଡରେ ଖାତା ନ ଖୋଲିପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Leave A Reply

Your email address will not be published.