Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦିଆଯାଇନାହିଁ ଅନୁମତି : ଏଏସ୍‌ଆଇ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶ୍ରୀମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ତର୍କ ବିତର୍କ ଲାଗିଥିବା ବେଳେ ଏବେ ବିବାଦ ଆହୁରି ବଢ଼ିଛି। ସାମ୍ନାକୁ ଆସିଛି ଏମିତି କିଛି ତଥ୍ୟ ଯାହା ଚମକାଇ ଦେଲାଭଳି ଖବର। କାରଣ ଆଜି ହାଇକୋର୍ଟରେ ପ୍ରତ୍ନତତ୍ତ୍ବ ବିଭାଗ କହିଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି ଦିଆଯାଇ ନାହିଁ। ଏନେଇ ଏକ ସତ୍ୟପାଠ ଦାଖଲ କରିଛି ଏଏସ୍‌ଆଇ।

ହାଇକୋର୍ଟରେ ଏଏସ୍‌ଆଇ ଦାଖଲ କରିଥିବା ସତ୍ୟପାଠରେ ରହିଛି ସାଂଘାତିକ ତଥ୍ୟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି ଦିଆଯାଇ ନାହିଁ। ସରକାରଙ୍କ ପକ୍ଷରୁ ବାରମ୍ବାର ଡିଜାଇନ୍‌ ମଧ୍ୟ ବଦଳାଯାଇଥିବା କଥା କହିଛି ଏଏସ୍‌ଆଇ। ନ୍ୟାସ୍‌ନାଲ ମନୁମେଣ୍ଟ ଅଥରିଟି (NMA)କୁ ଦିଆଯାଇଥିବା ଡିଜାଇନ ଓ ବର୍ତ୍ତମାନର ଡିଜାଇନ ଭିନ୍ନ ବୋଲି କୁହାଯାଇଛି। ଏହା ସହିତ ଖନନ ଦ୍ୱାରା ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ ବର୍ତ୍ତମାନ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିରର କ’ଣ କ୍ଷତି ହୋଇଛି, ତାହା ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟରେ ଉଲ୍ଲେଖ କରିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସବୁଠାରୁ ବଡ଼କଥା ହେଉଛି ଯେ, ଶ୍ରୀମନ୍ଦିର ନିକଟରେ ଏବେ ଟଏଲେଟ୍ ଆଦି ନିର୍ମାଣ ହେଉଥିବା ବେଳେ ସେଗୁଡ଼ିକର କାମ ପାଖାପାଖି ୭୦-୭୫ ଭାଗ ଶେଷ ହୋଇଗଲାଣି। ତେଣୁ ଆବେଦନକାରୀଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ହାଇକୋର୍ଟଙ୍କୁ ନିବେଦନ କରାଯାଇଥିଲା। ତେବେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରି ନାହାନ୍ତି। ସରକାରଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ଯାହା ସବୁ ହେଉଛି ସୁପ୍ରିମ୍‌କୋର୍ଟଙ୍କ ଗାଇଡ୍ ଲାଇନ୍ ଭିତରେ ହେଉଛି।

ସୂଚନାଯୋଗ୍ୟ, ଜୁନ ୨୦ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଅଧିକ ତଥ୍ୟ ସହିତ ବିସ୍ତୃତ ରିପୋର୍ଟ୍ ଦେବାକୁ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏଏସଆଇର ସତ୍ୟପାଠ ଉପରେ ଜବାବ୍ ରଖିବା ଲାଗି ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.