Odisha Link
Bridging the Missing Links in Odisha

କାଷ୍ଟିଂ କାଉଚ୍‌ : ୪୩ ଦିନ ଜେଲରେ ଥିଲେ, ଏବେ ନିର୍ଦ୍ଦୋଷ

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରୁ ଓଡ଼ିଆ ହାସ୍ୟଅଭିନେତା ପପୁ ପମ୍‌ପମ୍‌ଙ୍କୁ ମିଳିଲା ବଡ଼ ଆଶ୍ବସ୍ତି। ପ୍ରାୟ ୬ ବର୍ଷ ପରେ କାଷ୍ଟିଂ କାଉଚ୍‌ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ପପ୍‌ ପମ୍‌ପମ୍।

୨୦୧୬ ମସିହାରେ ପପୁ ପମ୍‌ପମ୍‌ଙ୍କ ନାମରେ ଆସିଥିଲା ସାଂଘାତିକ ଅଭିଯୋଗ। ଫିଲ୍ମରେ ଏଣ୍ଟ୍ରି କରାଇଦେବାକୁ କହି ପପୁ ପମ୍‌ପମ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ନାବାଳିକା। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏପରି ଅଭିଯୋଗ ଆସିବା ପରେ ଫେରାର ହୋଇଯାଇଥିବା ପପୁ ପମ୍‌ପମ୍‌ଙ୍କ ସମେତ ତାଙ୍କ ସହଯୋଗୀ ଦୀପୁଙ୍କୁ ପୁରୀ ଜିଲ୍ଲା ନିମାପଡ଼ାରୁ ଗିରଫ କରିଥିଲା ପୁଲିସ୍‌। ଏହାପରେ ସେ ଜାମିନରେ ବାହାରିଥିଲେ।

ଏବେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପପୁ। ସେ କହିଛନ୍ତି ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ଥିଲା। ଅକାରଣେ ବହୁ କଷ୍ଟ ନିର୍ଯାତନା ପାଇଥିଲି। ଏପରିକି ଦୀର୍ଘ ଦେଢ଼ ମାସ ଜେଲ ଦଣ୍ଡ କାଟିବା ପରେ ହାଇକୋର୍ଟରୁ ବେଲରେ ବାହାରିଲି। ଗଣମାଧ୍ୟମରେ ବହୁ ଲୋକ ମୋ ଚରିତ୍ର ସଂହାର କରିଥିଲେ। ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲର ଶିକାର ହୋଇଥିଲି। ସେ ଯାହା ବି ହେଉ ଶେଷରେ ସତ୍ୟର ବିଜୟ ହୋଇଛି।

ଯାହା ବି ଘଟିଯାଇଥିଲା ତାଦ୍ବାରା ମୋ ଫିଲ୍ମ କ୍ୟାରିଅର ଓ ରାଜନୈତିକ କ୍ୟାରିୟର ଖୁବ୍‌ ମାତ୍ରାରେ ପ୍ରଭାବିତ ହୋଇଛି ବୋଲଇ ପପୁ କହିଛନ୍ତି।