Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ: ଭୋଟ୍‌ ପୂର୍ବରୁ ଜୋର ଧରିଲା ଜିଲ୍ଲା ମାନ୍ୟତା ଦାବି

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଜୋର ଧରିଛି ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏଥିପାଇଁ ଆରମ୍ଭ କରିସାରିଛନ୍ତି ଅଙ୍କକଷା। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ବେଳେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ କିଏ ହେବ ତାକୁ ନେଇ ଲାଗି ରହିିଛି ବିଚାର ବିମର୍ଶ। ଉପନିର୍ବାଚନ ପାଇଁ ଭୋଟ୍‌ ଡିସେମ୍ବର ୫ ତାରିଖରେ ପଡ଼ିବ। ତେବେ ଏହା ପୂର୍ବରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଜୋର ଧରିଛି। ଯାହାକୁ ନେଇ ତିତି ଛାମୁଆ ରାଜନୈତିକ ଦଳଙ୍କ ଭାଳେଣି ପଡ଼ିଛି।

ବିଭିନ୍ନ ସମୟରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା। ଏସବୁ ମଧ୍ୟରେ ଆଗକୁ ଉପନିର୍ବାଚନ ହେବାକୁ ଥିବା ବେଳେ ପୁଣିଥରେ ମୁଣ୍ଡ ଟେକିଛି ଜିଲ୍ଲା ମାନ୍ୟତା ଦାବି। ପଦ୍ମପୁର ଓକିଲ ସଂଘ ଆହ୍ବାନ କ୍ରମେ ପଦ୍ମପୁର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ସଂଘ, ରାଜନୈତିକ ଦଳ, ଜନପ୍ରତିନିଧି ଏବଂ ଜନସାଧାରଣଙ୍କୁ ନେଇ ଓକିଲ ସଂଘ କାର୍ଯ୍ୟାଳୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିକୁ ତୀବ୍ର କରିବା ପାଇଁ ବିଭିନ୍ନ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଓକିଲ ସଂଘ ନେତୃତ୍ୱରେ ପ୍ରସ୍ତାବିତ ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା।

ଉପରୋକ୍ତ ଦାବି ନେଇ ପଦ୍ମପୁରରେ ଏକ ଶୋଭାଯାତ୍ରା କରାଯିବ। ସେଥିରେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ଜନପ୍ରତିନିଧି, ଜନସାଧାରଣ ଯୋଗ ଦେଇ ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.